କୋଭିଡ୍ ମହାମାରୀ ସମୟର ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଅନ୍ତର୍ଜାତୀୟ ଓ୍ବେବିନାର୍ ଉଦ୍‌ଯାପିତ | News Room Odisha

କୋଭିଡ୍ ମହାମାରୀ ସମୟର ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଅନ୍ତର୍ଜାତୀୟ ଓ୍ବେବିନାର୍ ଉଦ୍‌ଯାପିତ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ଵାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ କୋଭିଡ୍ ସମୟରେ ବିଭିନ୍ନ ରାଜ୍ୟ , କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟ ଦେଶମାନଙ୍କରେ ବିକଶିତ ହୋଇଥିବା ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ହେଉଥିବା ଦୁଇଦିନିଆ ଅନ୍ତର୍ଜାତୀୟ ଓ୍ବେବିନାର୍ ଉଦ୍‌ଯାପିତ ହୋଇଯାଇଛି ।

ୱେବିନାର ଦ୍ବିତୀୟ ଦିବସରେ ଆଜି ଦୁଇଟି ବୈଷୟିକ ଅଧିବେଶନରେ ପାଞ୍ଚଟି ଗବେଷଣାମୂଳକ ଉପସ୍ଥାପନା କରାଯାଇଥିଲା । ଏହି ଉପସ୍ଥାପନାଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କା ତଥା ଭାରତୀୟ ରାଜ୍ୟ ଯଥା : ଆସାମ , କେରଳ ଓ ବିହାରରେ ପ୍ରଚଳିତ ହୋଇଥିବା ବିକଳ୍ପ ଶିକ୍ଷା ପଦ୍ଧତି ଓ ପ୍ରଣାଳୀଗୁଡ଼ିକ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଉଭୟ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସଭାପତିତ୍ୱ କରିଥିଲେ ଓ ନିଜର ଅଭିଭାଷଣରେ ଓଡ଼ିଶାର ଅନୁଭୂତିକୁ ବର୍ଣ୍ଣନା କରିବା ସହିତ ଶ୍ରୀଲଙ୍କା ତଥା ଅନ୍ୟାନ୍ୟ ଭାରତୀୟ ରାଜ୍ୟମାନଙ୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପରୁ ଯାହା ଶିକ୍ଷା ମିଳିଛି ତାକୁ ଆଗାମୀ ଦିନରେ ଓଡ଼ିଶାରେ କିପରି ଆଦୃତ କରାଯାଇପାରିବ ସେ ଉପରେ ମତବ୍ୟକ୍ତ କରିଥିଲେ ।

ଉଦ୍‌ଯାପନୀ ଉତ୍ସବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପଦେଷ୍ଟା , ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ସଚିବ ପ୍ରଫେସର ଡ . ଅଖିଳ ବିହାରୀ ଓତା ଓ ୟୁନିସେଫ ଓଡ଼ିଶାର ଶିକ୍ଷା ବିଭାଗ ମୁଖ୍ୟ ଲଳିତା ପଟ୍ଟନାୟକ ଏହି ୱେବିନାର କୋଭିତ୍ ସମୟରେ ଏକ ସୁଚିନ୍ତିତ ଉଚିତ ପଦକ୍ଷେପ ବୋଲି ମତ ପ୍ରକାଶ କରିବା ସହିତ ଏହି ୱେବିନାରରୁ ପ୍ରାପ୍ତ ଶିକ୍ଷା ଓ ନୂତନ ଚିନ୍ତାଧାରାରୁ ଯେଉଁ ନିର୍ଯ୍ୟାସ ମିଳିଲା ତାକୁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୁ ଆଣି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଇଥିଲେ । ଶ୍ରୀମତୀ ଶ୍ଵେତା ମିଶ୍ର ଦ୍ଵିତୀୟ ଦିନର ଅଧିବେଶନଗୁଡ଼ିକୁ ପରିଚାଳନା କରିବା ସହିତ ସମସ୍ତ ଅଂଶଗ୍ରହଣକାରୀ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।