ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୟୁପି ସରକାର ଆଣିବେ କଡ଼ା ଆଇନ, ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି | News Room Odisha

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୟୁପି ସରକାର ଆଣିବେ କଡ଼ା ଆଇନ, ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଆଇନ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ଚିଠା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର କମିଶନ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ସେହି ବ୍ୟକ୍ତି ସରକାରୀ ଚାକିରି ପାଇଁ ମଧ୍ୟ ଅଯୋଗ୍ୟ ଘୋଷିତ ହେବେ ଏବଂ କୌଣସି ସ୍ଥାନୀୟ ସଂସ୍ଥା ନିର୍ବାଚନ ଲଢ଼ିପାରିବେ ନାହିଁ। ଜୁଲାଇ ୧୯ ସୁଦ୍ଧା କମିଶନ ଏନେଇ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି।

ୟୁପି ସରକାରଙ୍କ ଏହି ବିଲ୍ ର ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଇ ସନ୍ତାନ ନୀତି ଲାଗୁ କରିବା । ଚିଠା ପ୍ରସ୍ତାବରେ କୁହାଯାଇଛି ଯେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କ ରାସନ କାର୍ଡ ଚାରିଜଣ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ ଏବଂ ସେ କୌଣସି ପ୍ରକାରର ସରକାରୀ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ଆଇନ କାର୍ଯ୍ୟକାରୀ ହେବାର ଏକ ବର୍ଷ ମଧ୍ୟରେ, ସ୍ଥାନୀୟ ସରକାରୀ ନିର୍ବାଚନରେ ​​ମନୋନୀତ ହୋଇଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧୀ ସେମାନେ ଏହି ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଏକ ସଂକଳ୍ପପତ୍ର ଦେବେ । ଯଦି ସେମାନେ ସଂକଳ୍ପପତ୍ର ଦେବା ପରେ ତୃତୀୟ ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ସେମାନଙ୍କ ପଦୋନ୍ନତି ବନ୍ଦ କରାଯିବ । ଏଭଳି ସ୍ଥଳେ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ମଧ୍ୟ ଏହି ଚିଠା ପ୍ରସ୍ତାବରେ ସୁପାରିଶ କରାଯାଇଛି। ତଥାପି ପୋଷ୍ୟ ଭାବେ ତୃତୀୟ ସନ୍ତାନ ରଖିବାକୁ ବାରଣ କରାଯାଇ ନାହିଁ |