ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମାର୍ଜନ ପରମ୍ପରା | News Room Odisha

ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମାର୍ଜନ ପରମ୍ପରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ହେଉଛି ରଥଯାତ୍ରା। କେଉଁ ଆବହମାନ କାଳରୁ ଏହି ପତିତପାବନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ଏହି ପବିତ୍ର ଯାତ୍ରାକୁ ଦର୍ଶନ କରିବା ପାଇଁ ଭାରତର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଅନେକ ସାଧୁସନ୍ଥ, ଭକ୍ତ ଓ ଅବତାରି ପୁରୁଷଗଣ। ନିଜର ଚର୍ମ ନେତ୍ରକୁ ପବିତ୍ର କରିଛନ୍ତି ଏହି ଦାରୁବ୍ରହ୍ମଙ୍କ ମାନବୀୟ ଲୀଳା ଦର୍ଶନ କରି। ଏହି ରଥଯାତ୍ରା ଏକ ଭାବର ଯାତ୍ରା। ଯିଏ ଯେପରି ଏ କାଳିଆ ଠାକୁର ପାଖରେ ନିଜର ଭାବ ଲଗେଇ ପାରିଛି, ଭାବଗ୍ରାହୀ ଭଗବାନ ତାର ଭାବ ବନ୍ଧନରେ ସେହିପରି ବାନ୍ଧି ହୋଇଯାଇଛନ୍ତି। ଭକ୍ତ ସାଲବେଗଙ୍କ ଠାରୁ ମତ୍ତ ବଳରାମ ଦାସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭାବରେ ବନ୍ଧା ଏ ହଟିଆ ଠାକୁର।

ପଞ୍ଚଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ। ସାକ୍ଷାତ ଶ୍ରୀରାଧାକୃଷ୍ଣଙ୍କ ମିଳିତ ତନୁ ଶ୍ରୀଚୈତନ୍ୟ ମହାପ୍ରଭୁ କିନ୍ତୁ ନିଜ ଅନ୍ତରଚକ୍ଷୁରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ ରୂପରେ ଦର୍ଶନ କରୁଥିଲେ। ନୀଳାଚଳ ଥିଲା ତାଙ୍କ ପାଇଁ ମଥୁରା। ଏହି ଭାବରେ ପ୍ରତିନିତ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ସିଏ ବିମୋହିତ ହେଉଥିଲେ। ମହାପ୍ରଭୁଙ୍କ ପ୍ରତ୍ୟେକ ଲୀଳାକୁ ସିଏ ନିଜର ମାନସ ପଟରେ ଦର୍ଶନ କରିବା ସହିତ ଲୀଳା ରସକୁ ଆସ୍ଵାଦନ କରୁଥିଲେ।

ଭକ୍ତଙ୍କ ମୁଖରୁ ଶୁଣିବାକୁ ପାଇଲେ ଆଗାମୀ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଶ୍ରୀଜୀଉଙ୍କ ହେବ ଭୁବନ ବିଦିତ ଶ୍ରୀ ଗୁଣ୍ଡିଚାଯାତ୍ରା। ଏହିକଥା ଶ୍ରବଣ ମାତ୍ରେ ତାଙ୍କ ହୃଦୟରେ ଜାଗରିତ ହେଲା ବ୍ରଜ ଲୀଳାର ସ୍ମୃତି। ମହାପ୍ରଭୁ ନିଳାଚଳରୁ ନବଦିନ ପାଇଁ ଯାତ୍ରା କରିବେ ସୁନ୍ଦରାଚଳକୁ। ଗୁଣ୍ଡିଚା ମନ୍ଦିର ତ ଗୁପ୍ତ ବୃନ୍ଦାବନ। ଐଶ୍ୱର୍ଯ୍ୟ ଲୀଳାକୁ ପରିତ୍ୟାଗ କରି ପ୍ରଭୁ ମାଧୁର୍ଯ୍ୟ ଲୀଳା କରିବେ। ଏହି ଭାବରେ ବିଭାବିତ ହୋଇ ସିଏ ନିଜକୁ ରାଧା ସଖୀ ଭାବରେ ବ୍ରଜର କୁଞ୍ଜ ସଜେଇବାକୁ ମନ କଲେ। ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ତିନିଜଣ ପାର୍ଷଦଙ୍କ ଠାରୁ ଅନୁମତି ନେଇ ସମ୍ଭବତଃ ୧୫୧୦ ରେ ସିଏ ଅସଂଖ୍ୟ ଭକ୍ତ ଓ ବୈଷ୍ଣବଙ୍କୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ଆରମ୍ଭ କଲେ। ଇନ୍ଦ୍ରଦ୍ୟୁମ୍ନ ସରୋବର ଜଳରେ ନିଜର ପ୍ରିୟତମଙ୍କ କୁଞ୍ଜକୁ ଧୌତ କରି ଆତ୍ମତୃପ୍ତି ଲାଭ କଲେ।

ସେହି ସ୍ମୃତିକୁ ସଜାଗ୍ରତ କରିବା ପାଇଁ ସେହିଦିନ ଠାରୁ ଅଦ୍ୟାବଧି ସେଇ ଗୁଣ୍ଡିଚା ମାର୍ଜନ ଲୀଳା ଶ୍ରୀଗୁଣ୍ଡିଚା ଘରେ ଅନୁଷ୍ଠିତ ହୋଇ ଆସୁଛି। ଅବଶ୍ୟ ସମୟର ବିବର୍ତ୍ତନ ରେ ଏଥିପାଇଁ ଅନେକ ଘାତ-ପ୍ରତିଘାତ ଆସିଛି। ଏହି ଲୀଳାକୁ ପୁନର୍ଜୀବିତ କରିବା ପାଇଁ ପ୍ରାୟ ଦେଢ଼ସହ ବର୍ଷ ତଳେ ବଡ ବାବାଜୀ ଶ୍ରୀଶ୍ରୀରାଧାରମଣ ଦେବଙ୍କ ପ୍ରୟାସରେ ଶ୍ରୀପାଦ ରାମଦାସ ବାବାଜୀ ମହାରାଜ ସଦଳ ବଳେ କୀର୍ତ୍ତନ କରି ଏହି ସେବା ରକ୍ଷା କରି ଥିଲେ। ଆଜିବି ଅନେକ ବୈଷ୍ଣବ, ସାଧୁସନ୍ଥ ତଥା ଭକ୍ତବୃନ୍ଦ ରଥଯାତ୍ରାର ପୂର୍ବଦିନ ସଂକୀର୍ତ୍ତନ ସହିତ ହାତରେ ପାଣି ଠେକି ଓ ଝାଡୁ ଧରି ଶ୍ରୀଗୁଣ୍ଡିଚା ମାର୍ଜନ କରୁଛନ୍ତି। ମାର୍ଜନ ଶେଷରେ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନସାରି ଗୁଣ୍ଡିଚା ମନ୍ଦିର ନିକଟ ଆଇ ତୋଟା ମଠରେ ମହାପ୍ରସାଦ ଗ୍ରହଣ କରୁଛନ୍ତି। ଶ୍ରୀଗୁଣ୍ଡିଚା ମାର୍ଜନ ଗୌଡିୟ ବୈଷ୍ଣବଙ୍କ ଏକ ମହାନ ପର୍ବ। ଶ୍ରୀଜଗନ୍ନାଥ ରୂପୀ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣ ବ୍ରଜ ର କୁଞ୍ଜକୁ ଆଗମନ କରିବେ ସେହି କୁଞ୍ଜକୁ ସଜ୍ଜିତ କରିବାର ଏହା ଏକ ମହାନ ପରମ୍ପରା।

Festival of Lord JagannathGundicha TemplePuri Jagannath Temple