କର୍ଣ୍ଣାଟକ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଥାୱରଚାନ୍ଦ ଗେହଲୋଟ୍ | News Room Odisha

କର୍ଣ୍ଣାଟକ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଥାୱରଚାନ୍ଦ ଗେହଲୋଟ୍

ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲୋଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଭଜୁଭାଇ ରୁଦାଭାଇ ଭାଲାଙ୍କ ସ୍ଥାନ ନେବେ। କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଅଭୟ ଶ୍ରୀନିବାସ ଓକା ରାଜ ଭବନରେ ଗେହଲୋଟଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ବିଦାୟୀ ରାଜ୍ୟପାଳ ଭାଲା, ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା, ତାଙ୍କ କ୍ୟାବିନେଟ୍ ସହକର୍ମୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ପି ରବି କୁମାର ଏବଂ ବରିଷ୍ଠ ରାଜ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

୭୩ ବର୍ଷୀୟ ଗେହଲୋଟ୍ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଥିଲେ।

ରାଷ୍ଟ୍ରପତି ଜୁଲାଇ ୬ରେ କର୍ଣ୍ଣାଟକର ନୂଆ ରାଜ୍ୟପାଳ ଭାବରେ ଗେହଲୋଟଙ୍କ ନିଯୁକ୍ତି ଘୋଷଣା କରିଥିଲେ। ମେ ୧୮, ୧୯୪୮ରେ ମଧ୍ୟପ୍ରଦେଶର ଉଜ୍ଜୈନର ରୁପେଟାରେ ଜନ୍ମଗ୍ରହଣ କରିଥିବା ଗେହଲୋଟ୍ ଉଜ୍ଜୈନ ବିକ୍ରମ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ।