ତାଲିବାନ ବିପଦ: କାନ୍ଦାହାର ବାଣିଜ୍ୟ ଦୂତାବାସରୁ କୂଟନୀତିଜ୍ଞଙ୍କୁ ସୁରକ୍ଷିତ ଫେରାଇ ଆଣିଲା ଭାରତ | News Room Odisha

ତାଲିବାନ ବିପଦ: କାନ୍ଦାହାର ବାଣିଜ୍ୟ ଦୂତାବାସରୁ କୂଟନୀତିଜ୍ଞଙ୍କୁ ସୁରକ୍ଷିତ ଫେରାଇ ଆଣିଲା ଭାରତ

କାବୁଲ: ଆଫଗାନିସ୍ତାନର ଦକ୍ଷିଣ ସହରର ପ୍ରମୁଖ ଅଞ୍ଚଳ ଦଖଲ କରାଯାଇଥିବା ନେଇ ତାଲିବାନର ଦାବି ମଧ୍ୟରେ ଭାରତ କାନ୍ଦାହାର ବାଣିଜ୍ୟ ଦୂତାବାସରୁ ନିଜ କୂଟନୀତିଜ୍ଞ ଏବଂ ସୁରକ୍ଷା କର୍ମୀଙ୍କୁ ସୁରକ୍ଷିତ ଫେରାଇ ଆଣିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ କାନ୍ଦାହାରର ବାଣିଜ୍ୟ ଦୂତାବାସରୁ ଭାରତୀୟ କୂଟନୀତିଜ୍ଞ ତଥା ଅଣ କୂଟନୀତିଜ୍ଞଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବହାର କରାଯାଇଥିଲା। ଗତକାଲି ରାତିରେ ସମସ୍ତ ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି। ସୂଚନାନୁସାରେ, ଏହି ବିମାନ ଉଡାଣ ପାଇଁ ସ୍ୱତନ୍ତ୍ର ଅନୁମତି ନିଆଯାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏକ ବନ୍ଧୁତ୍ୱପୂର୍ଣ୍ଣ ଦେଶ ଭାବରେ ଭାରତ ଆଫଗାନିସ୍ତାନରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ସାର୍ବଭୌମତ୍ବ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିବ। ଆଫଗାନିସ୍ତାନର ପରିସ୍ଥିତି ଉପରେ ନଜର ରଖାଯାଇଛି ।

ଭାରତ ଚାରି ଦିନ ପୂର୍ବରୁ କହିଥିଲା ​​ଯେ କାବୁଲରେ ମିଶନ କେନ୍ଦ୍ର ଏବଂ କାନ୍ଦାହାର ଏବଂ ମଜାର-ଇ-ସରିଫ ସହରରେ ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ କୌଣସି ଯୋଜନା ନାହିଁ। ତେବେ ତାଲିବାନ ବିପଦ ଦୃଷ୍ଟିରୁ କାନ୍ଦାହାର ବାଣିଜ୍ୟ ଦୂତାବାସକୁ ବନ୍ଦ କରିବାକୁ ପଡ଼ିଛି । ଆଫଗାନିସ୍ତାନରେ ବିଗୁଡୁଥିବା ସୁରକ୍ଷା ସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ଏବଂ ଭାରତୀୟ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କର ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।