ଚକ୍ଷୁହୀନଙ୍କୁ ଜୀବନ ସାଥି କଲେ ସନ୍ଧ୍ୟା | News Room Odisha

ଚକ୍ଷୁହୀନଙ୍କୁ ଜୀବନ ସାଥି କଲେ ସନ୍ଧ୍ୟା

ଭଦ୍ରକର ପୁଅ, ବ୍ରହ୍ମପୁରର ଝିଅ। ଜଣଙ୍କର ଚକ୍ଷୁ ନାହିଁ, ଅନ୍ୟ ଜଣଙ୍କର ବିଶେଷ ଧନସମ୍ପତ୍ତି ନାହିଁ। ଜଣେ ଟ୍ରେନ୍‌ରେ ବିଭିନ୍ନ ସାମଗ୍ରୀ ବିକ୍ରିବଟା କରି ପେଟ ପୋଷେ। ଅନ୍ୟ ଜଣକ ବିଭିନ୍ନ ସ୍ବେଛାସେବୀ କାର୍ଯ୍ୟକ୍ରମରେ ନିଜକୁ ସମ୍ପୃକ୍ତ କରି ଆସିଥାଏ। ଏବେ ସେମାନେ ସାଜିଛନ୍ତି ପରସ୍ପରର ଜୀବନ ସାଥୀ। ପବିତ୍ର ଘୋଷଯାତ୍ରାର ଦିନକ ପୂର୍ବରୁ ଜୀବନ ରଥ ଏକାଠି ଆଗେଇ ନେବାକୁ ଶପଥ ନେଇଛନ୍ତି। ହୋମ କୁଣ୍ଡରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ଆଜୀବନ ପାଇଁ ସ୍ଵାମୀ ସ୍ତ୍ରୀ ଭାବେ ବରଣ କରିଛନ୍ତି। ସେମାନେ ହେଲେ ଭଦ୍ରକର ଆକାଶ କୁମାର ପାଢ଼ୀ ଓ ବ୍ରହ୍ମପୁରର ସନ୍ଧ୍ୟା ପାଢ଼ୀ। ପୂର୍ବରୁ ଜୁଲାଇ ୮ରେ ସେମାନେ ବ୍ରହ୍ମପୁର ଫାମିଲି କୋର୍ଟରେ ନିୟମ ମୁତାବକ ରେଜିଷ୍ଟ୍ରି ମ୍ୟାରେଜ୍ କରିଥିଲେ। ରବିବାର ବ୍ରହ୍ମପୁରର ଏକ ମନ୍ଦିରରେ ବିଧିବଦ୍ଧ ବିବାହ କରିଛନ୍ତି ଆକାଶ- ସନ୍ଧ୍ୟା।

ମୂଳତଃ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଚବିଶିପଡ଼ା ଶାସନ ଗ୍ରାମର ଆକାଶ। ବ୍ରହ୍ମପୁର ଗେଟ୍‌ବଜାରରେ ରୁହନ୍ତି। ଷ୍ଟେସନ୍‌ରେ ବିଭିନ୍ନ ଜିନିଷ ବିକି ଯାହା କିଛି ଆୟ ହୁଏ ସେଥିରେ ଚଳନ୍ତି। ସେପଟେ ବ୍ରହ୍ମପୁର ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ନଗରର ପୁରୋହିତ ଗୋପାଳକୃଷ୍ଣ ପାଢ଼ୀଙ୍କ ଦ୍ବିତୀୟ କନ୍ୟା ସନ୍ଧ୍ୟା। ପରିବାରରେ ୪ ଝିଅ, ଗୋଟିଏ ପୁଅ। ସନ୍ଧ୍ୟାଙ୍କ ମାଆ ନାହାନ୍ତି, ଦୁଇ ଭଉଣୀଙ୍କ ବିବାହ ସରିଛି। ସନ୍ଧ୍ୟା ଓ ଆକାଶଙ୍କ ବିବାହର ଯୋଗସୂତ୍ର ସୃଷ୍ଟି କରିଥିଲେ ଚକ୍ଷୁହୀନଙ୍କ ସକାଶେ କାର୍ଯ୍ୟ କରୁଥିବା ବ୍ରହ୍ମପୁରର ଏକ ସେଚ୍ଛାସେବୀ ସଙ୍ଗଠନର ଜଣେ କର୍ମକର୍ତ୍ତା ଦିବାକର ପଟ୍ଟନାୟକ। କିଛି ଦିନ ତଳେ ଭିନ୍ନକ୍ଷମଙ୍କ ସକାଶେ ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ଦୃଷ୍ଟିହୀନଙ୍କ ହାତ ଧରି ନେବା ଆଣିବା ଦାୟିତ୍ବ ତୁଲାଉଥିଲେ ସନ୍ଧ୍ୟା। ଆକାଶଙ୍କ ଦାୟିତ୍ବ ତାଙ୍କୁ ମିଳିଥିଲା। ସେତେବେଳେ ଆକାଶଙ୍କ ସମ୍ପର୍କରେ ସବୁ କିଛି ଜାଣିପାରି ତାଙ୍କୁ ପତି ରୂପେ ବାଛିନେବାକୁ ଇଚ୍ଛା କରିଥିଲେ ସନ୍ଧ୍ୟା। ସଭା ପରିଚାଳନା କରୁଥିବା ଦିବାକରଙ୍କୁ ଏ କଥା ସନ୍ଧ୍ୟା ଜଣାଇବା ପରେ ସେ ଆକାଶଙ୍କ ପିତାମାତାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ। ସେମାନେ ସମ୍ମତି ପ୍ରକାଶ କରିବା ସାଙ୍ଗକୁ ଆକାଶ ନିଜେ ସନ୍ଧ୍ୟାଙ୍କ ପିତାଙ୍କୁ ଏହା ଜଣାଇଥିଲେ। ଗୋପାଳ ବାବୁ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ଫଳତଃ ରଥଯାତ୍ରା ପୂର୍ବ ଦିନ ଦୁହିଁଙ୍କ ଶୁଭ ବିବାହ ସରିଛି।

ପରସ୍ପରର ଜୀବନ ସାଥି ସାଜି ଦୁହେଁ ଖୁସି ଥିବା କହିଛନ୍ତି। ଜଣେ ଦୃଷ୍ଟିହୀନଙ୍କୁ ସ୍ୱାମୀ ଭାବେ ବରଣ କରିଥିବା ସନ୍ଧ୍ୟାଙ୍କୁ ପାଇ ମୁଁ ଭାଗ୍ୟବାନ ବୋଲି ଆକାଶ କହିଥିବା ବେଳେ ସ୍ବାମୀଙ୍କ ଅବସ୍ଥା ଯାହା ହେଉନା କାହିଁକି ମୁଁ ପତ୍ନୀ ଭାବେ ତାଙ୍କ ସେବା କରିବି ବୋଲି ପ୍ରକାଶ କରିଛନ୍ତି ସନ୍ଧ୍ୟା। ଏମାନଙ୍କ ବିବାହ ନିଶ୍ଚିତ ଭାବେ ପ୍ରେରଣାଦାୟୀ।