ଜନସନ୍ ଆଣ୍ଡ୍ ଜନସନ୍ ଟିକା ପକ୍ଷାଘାତର କାରଣ ହୋଇପାରେ, ଚେତାଇଲା ଆମେରିକୀୟ ଡ୍ରଗ୍ସ ନିୟନ୍ତ୍ରକ | News Room Odisha

ଜନସନ୍ ଆଣ୍ଡ୍ ଜନସନ୍ ଟିକା ପକ୍ଷାଘାତର କାରଣ ହୋଇପାରେ, ଚେତାଇଲା ଆମେରିକୀୟ ଡ୍ରଗ୍ସ ନିୟନ୍ତ୍ରକ

ୱାଶିଂଟନ: ଜନସନ୍ ଆଣ୍ଡ୍ ଜନସନ୍‌ର କୋଭିଡ୍‌-୧୯ ଟିକା ନେଉଥିବା ଲୋକଙ୍କ ପାଇଁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ସତର୍କ ସୂଚନା ଜାରି କରିଛି । ଏହି ଟିକା ପକ୍ଷାଘାତ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛି ଏଫ୍‌ଡିଏ । ଯଦିଓ ଏହା ପ୍ରମାଣିତ ହୋଇନାହିଁ, ତେବେ ଏହି ଟିକା ନେଉଥିବା ଲୋକଙ୍କ ଠାରୁ ଏଭଳି ଅଭିଯୋଗ ବଢ଼ିବାରେ ଲାଗିଛି । ସେମାନେ କହିଛନ୍ତି ଯେ, ଜନସନ୍ ଆଣ୍ଡ ଜନସନ୍ ଟିକା ନେବା ଦ୍ୱାରା ସେମାନେ ଏକ ବିରଳ ସ୍ନାୟୁଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଜନସନ୍ ଆଣ୍ଡ୍ ଜନସନ୍‌ର କୋଭିଡ୍‌-୧୯ ଟିକାକୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ତେବେ ଏଫ୍‌ଡିଏର ଚେତାବନୀ ପରେ ଏହି କମ୍ପାନୀକୁ ଧକ୍କା ଲାଗିଛି । ଏଫ୍‌ଡିଏର ରିପୋର୍ଟ ପରେ ଟିକାକରଣ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଆମେରିକାରେ ବ୍ୟବହାର ହେଉଥିବା ଆଉ ଦୁଇ ଟିକା ଫାଇଜର-ବାୟୋଏନ୍‌ଟେକ ଏବଂ ମଡେର୍ଣ୍ଣା ଟିକାରେ ଏଭଳି କୌଣସି ସମସ୍ୟା ନାହିଁ ବୋଲି ଏଫ୍‌ଡିଏ କହିଛି ।

ଏଫ୍‌ଡିଏ ସୂଚନା ଅନୁଯାୟୀ, ଜନସନ୍ ଆଣ୍ଡ ଜନସନ୍ ଟିକା ନେଇଥିବା ୧୨.୮ ନିୟୁତ ଲୋକଙ୍କ ମଧ୍ୟରୁ ୧୦୦ ଲୋକଙ୍କ କ୍ଷେତ୍ରରେ ପକ୍ଷାଘାତ ଭଳି ଲକ୍ଷଣ ଦେଖାଦେଇଛି । ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଏଫ୍‌ଡିଏ କହିଛି । ଏହାଛଡା ଏହି ଟିକା ନେଇଥିବା ଆଉ କିଛି ଲୋକ ଚାଲିବା, କଥା କହିବା, ଚୋବାଇବା ଏବଂ ଖାଦ୍ୟ ଗ୍ରହଣ ବେଳେ କଷ୍ଟ ଅନୁଭବ ହେବା, ଦୃଷ୍ଟିଶକ୍ତି ଦୁର୍ବଳ ହେବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଅଭିଯୋଗ କରିଛନ୍ତି ।