ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ଦେହାନ୍ତ, ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଥିଲେ ସଦସ୍ୟ | News Room Odisha

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ଦେହାନ୍ତ, ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଥିଲେ ସଦସ୍ୟ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ଆଜି ସକାଳେ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କୁ ୬୬ ବର୍ଷ ହୋଇଥିଲା । ଯଶପାଲ ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ।

ଯଶପାଲ୍ ଭାରତ ପକ୍ଷରୁ ୪୨ଟି ଦିନିକିଆ ଏବଂ ୩୭ଟି ଟେଷ୍ଟରେ ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ଦକ୍ଷ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଥିଲେ । କ୍ରିକେଟରୁ ଅବସର ପରେ ଯଶପାଲ ଜାତୀୟ ସିନିୟର ଚୟନ କମିଟିର ସଦସ୍ୟଭାବେ ଦୁଇବର୍ଷ ଦାୟିତ୍ୱ ତୁଲାଇଥିଲେ ।

ଯଶପାଲ ୧୯୭୮ରେ ପାକିସ୍ତାନ ବିପକ୍ଷରେ ନିଜର ଦିନିକିଆ ପଦାର୍ପଣ କରିଥିବା ବେଳେ ୧୯୭୯ରେ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୪୨ଟି ଅନ୍ତର୍ଜାତୀୟ ଦିନିକିଆରୁ ୪ ଅର୍ଦ୍ଧଶତକ ସହ ଯଶପାଲ ୮୮୩ ରନ୍ ସଂଗ୍ରହ କରିଥିଲେ । ଏହାଛଡ଼ା ସେ ଭାରତ ପାଇଁ ୩୭ଟି ଟେଷ୍ଟରେ ପ୍ରାୟ ୩୪ ଆଭରେଜ୍ ସହ ୧୬୦୬ ରନ୍ କରିଥିଲେ । ଟେଷ୍ଟରେ ସେ ୮ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ଯଶପାଲ ରଣଜୀ ଟ୍ରଫିରେ ହରିୟାଣା ଓ ରେଳବାଇ ପକ୍ଷରୁ ଖେଳିଥିଲେ । ସେ ମୋଟ ୧୬୦ ରଣଜୀ ମ୍ୟାଚ୍ ଖେଳିଥିବା ବେଳେ ୨୧ଟି ଶତକ ସହ ୮୯୩୩ ରନ୍ କରିଥିଲେ । ରଣଜୀ ଟ୍ରଫିରେ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ଅପରାଜିତ ୨୦୧ ରନ୍ । ଯଶପାଲଙ୍କ ଅଚାନକ ଦେହାନ୍ତରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।