ପଞ୍ଚମ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ହେଲେ ଶେର ବାହାଦୂର ଦେଉବା | News Room Odisha

ପଞ୍ଚମ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ହେଲେ ଶେର ବାହାଦୂର ଦେଉବା

କାଠମାଣ୍ଡୁ: ନେପାଳୀ କଂଗ୍ରେସ ମୁଖ୍ୟ ଶେର ବାହାଦୂର ଦେଉବାଙ୍କୁ ମଙ୍ଗଳବାର ପଞ୍ଚମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏହି ପଦକ୍ଷେପ କମ୍ୟୁନିଷ୍ଟ ପାର୍ଟିର ନେତା ତଥା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ଥିବା କେପି ଶର୍ମା ଓଲିଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ଭାବେ ବିବେଚନା କରାଯାଉଛି। ‘ହିମାଳୟ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ତାଙ୍କୁ ସମ୍ବିଧାନର ଧାରା ୭୬ (୫) ଅନୁଯାୟୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ୭୪ ବର୍ଷୀୟ ଦେଉବା ପଞ୍ଚମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଫେରିଛନ୍ତି।

ସୋମବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ତାଙ୍କ ନିଯୁକ୍ତି ହୋଇଛି। କେପି ଶର୍ମା ଓଲିଙ୍କୁ ହଟାଇ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଉବାଙ୍କ ଦାବିକୁ କୋର୍ଟ ସବୁଜ ସଙ୍କେତ ଦେଇଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛି। ଦେଉବାଙ୍କ ଶପଥ ଗ୍ରହଣ କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ।

ଏହାପୂର୍ବରୁ ଶେର ବାହାଦୁର ଦେଉବା ୪ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଥମ ଥର ପାଇଁ ସେ ସେପ୍ଟେମ୍ବର ୧୯୯୫- ମାର୍ଚ୍ଚ ୧୯୯୭, ଦ୍ୱିତୀୟ ଥର ଜୁଲାଇ ୨୦୦୧- ଅକ୍ଟୋବର ୨୦୦୨, ତୃତୀୟ ଥର ଜୁନ୍ ୨୦୦୪- ଫେବୃଆରୀ ୨୦୦୫ ଏବଂ ଚତୁର୍ଥ ଥର ଜୁନ୍ ୨୦୧୭ରୁ ଫେବୃଆରୀ ୨୦୧୮ ଯାଏଁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବାର ୩୦ ଦିନ ମଧ୍ୟରେ ଦେଉବାଙ୍କୁ ଗୃହରେ ନିଜର ବହୁମତ ପ୍ରମାଣ ଦେବାକୁ ହେବ।

ସୋମବାର ନେପାଳ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଓଲିଙ୍କ ଲୋକସଭା ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କରି ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମଶେର ରାଣାଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ କହିଥିଲେ ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ଓଲିଙ୍କ ଦାବି ଅସାମ୍ବିଧାନିକ।