ଶପଥ ନେବାର ତିନିଦିନ ପରେ ବିହାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା | News Room Odisha

ଶପଥ ନେବାର ତିନିଦିନ ପରେ ବିହାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା

ପାଟନା – ଶପଥ ଗ୍ରହଣ କରିବାର ତିନି ଦିନ ପରେ ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି । ମେୱାଲାଲ ଆଜି ହିଁ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ନୀତିଶ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରଠୁ ମେୱାଲାଲ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଟାର୍ଗେଟରେ ଥିଲେ । ଆରଜେଡି ତାଙ୍କ ବହିଷ୍କାର ଦାବି କରିଥିଲା । ମେୱାଲାଲ ୨୦୧୭ରେ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିବା ସମୟରେ ଆସିଷ୍ଟାଣ୍ଟ୍ ପ୍ରଫେସର ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା ।

ମେୱାଲାଲ କୁଆଡେ ୧୬୦ ଜଣ ଆସିଷ୍ଟାଣ୍ଟ୍ ପ୍ରଫେସରଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ । ଏଥିପାଇଁ ତାଙ୍କ ନାମରେ ଏଫଆଇଆର ବି ରୁଜୁ ହୋଇଥିଲା । ଏହି କାରଣରୁ ସେହିବର୍ଷ ତାଙ୍କୁ ନୀତିଶ ସରକାରରୁ ନିଲମ୍ବିତ କରାଯାଇଥିଲା । ତତ୍କାଳୀନ ରାଜ୍ୟପାଳ ରାମନାଥ କୋବିନ୍ଦ ମେୱାଲାଲଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମଧ୍ୟ ପ୍ରମାଣିତ ହୋଇଥିଲା । ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୋଠା ନିର୍ମାଣରେ ଅର୍ଥ ହେରଫେର ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ମେୱାଲାଲ ତାଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ବିରୋଧରେ ନା କୌଣସି ଚାର୍ଜସିଟ୍ ଦାଖଲ ହୋଇଛି ନା କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ମେୱାଲାଲ କହିଛନ୍ତି ।