ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀକୁ ଆଉ ଏକ ସଫଳତା, ଲସ୍କର କମାଣ୍ଡର ସହ ୩ ଆତଙ୍କୀ ନିହତ | News Room Odisha

ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀକୁ ଆଉ ଏକ ସଫଳତା, ଲସ୍କର କମାଣ୍ଡର ସହ ୩ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ୍ ଜାରି ରହିଛି । ଏଥିରେ ସେନାକୁ ଆଉ ଏକ ସଫଳତା ମିଳିଛି । ଆଜି ଭୋର୍‌ରେ ପୁଲୱାମାରେ ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ପାକିସ୍ତାନୀ ଲସ୍କର କମାଣ୍ଡର ଏଜାଜ୍ ଓରଫ୍ ଅବୁ ହୁରୈରା ରହିଛି । ଅନ୍ୟ ଦୁଇ ନିହତ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ବୋଲି ସେନା ପକ୍ଷରୁ କୁହାଯାଇଛି । ଆତଙ୍କବାଦୀଙ୍କ ଶବ ସହ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ପକ୍ଷରୁ ପୁଲୱାମାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏତିକିବେଳେ ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଫାୟାରିଂ କରିଥିଲେ । ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ତିନି ଆତଙ୍କବାଦୀ ନିହତ ହୋଇଥିଲେ । ଗତ ୧୩ ଦିନରେ ଜାମ୍ମୁ-କାଶ୍ମୀରରେ ୧୬ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ଅନ୍ୟପକ୍ଷେ ଉପତ୍ୟକାର ଅରନିୟା ସେକ୍ଟରରେ ମଙ୍ଗଳବାର ରାତିରେ ଡ୍ରୋନ୍ ଭଳି ଏକ ବସ୍ତୁ ଦୃଶ୍ୟମାନ ହୋଇଥିଲା । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ତରଫରୁ ଫାୟାରିଂ କରାଯିବା ପରେ ତାହା ପାକିସ୍ତାନ ସୀମା ପଟକୁ ଚାଲିଯାଇଥିଲା । ଏହା ଡ୍ରୋନ୍ ଥିଲା ନା ଆଉ କିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ପୁ’ରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ସୂଚନା ମିଳିଛି । ଏନେଇ ସୀମାରେ ମୁତୟନ ସୁରକ୍ଷା ବାହିନୀକୁ ଆଲର୍ଟ କରାଯାଇଛି ।