ଦିଲ୍ଲୀରେ ପୁଣି କଡ଼ାକଡ଼ି କରାଗଲା କୋଭିଡ୍ କଟକଣା: ମାସ୍କ ନ ପିନ୍ଧିଲେ ୨୦୦୦ ଟଙ୍କା ଜରିମାନା | News Room Odisha

ଦିଲ୍ଲୀରେ ପୁଣି କଡ଼ାକଡ଼ି କରାଗଲା କୋଭିଡ୍ କଟକଣା: ମାସ୍କ ନ ପିନ୍ଧିଲେ ୨୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ –ରାଜଧାନୀରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି । ଗତ ୧୭ ଦିନ ଧରି ଦିଲ୍ଲୀରେ ସଂକ୍ରମଣ ଭୟଙ୍କର ଭାବେ ବଢିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅରବିନ୍ଦ କେଜରିୱାଲ ସରକାର କିଛି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିବାହ ଉତ୍ସବ ପାଇଁ କୋହଳ ହୋଇଥିବା ନିୟମ ପ୍ରତ୍ୟାହାର କରିବା ପରେ ଏବେ ଦିଲ୍ଲୀ ସରକାର ମାସ୍କ ପିନ୍ଧିନଥିବା ଲୋକଙ୍କ ଉପରେ ମୋଟାଅଙ୍କର ଜରିମାନା ଲଗାଇବେ । ମାସ୍କ ନ ପିନ୍ଧିଲେ ଏବେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ପୂର୍ବରୁ ଏହି ଜରିମାନା ୫୦୦ ଟଙ୍କା ଥିଲା । ବର୍ଦ୍ଧିତ ଜରିମାନା ନେଇ ସେ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ବୋଲି କେଜରିୱାଲ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ରାଜନୀତି ନ କରି ସହଯୋଗ କରିବାକୁ କେଜରିୱାଲ ବିରୋଧୀଙ୍କୁ ନିବେଦନ ମଧ୍ୟ କରିଛନ୍ତି । ରାଜଧାନୀରେ କରୋନା ମାମଲା ଦିନକୁ ଦିନ ବଢୁଥିବାରୁ ସବୁ ହସ୍ପିଟାଲ ଗୁଡିକରେ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ବେଡ୍ ର ବ୍ୟବସ୍ଥା କରାଯିବ ।

ବିଶେଷକରି ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀ ହସ୍ପିଟାଲ ଗୁଡିକରେ ବର୍ତ୍ତମାନ ୭୪୬୧ ନନ୍-ଆଇସିୟୁ ବେଡ୍ ରହିଥିବା ବେଳେ ୪୪୬ ଆଇସିୟୁ ବେଡ୍ ଉପଲବ୍ଧ ଅଛି । କୋର୍ଟ ଆଦେଶ ଅନୁସାରେ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ପାଇଁ ୮୦% ଆଇସିୟୁ ବେଡ୍ ରିଜର୍ଭ ରଖାଯିବ । ହସ୍ପିଟାଲ ଗୁଡିକରେ ଯେଭଳି କରୋନା ରୋଗୀଙ୍କ ଚିକିତ୍ସାରେ ସମସ୍ୟା ନ ଦେଖାଦେବ, ସେଥିପାଇଁ ଅଣଜରୁରୀ ଅସ୍ତ୍ରୋପଚାର ମାମଲାକୁ କିଛି ଦିନ ପାଇଁ ଟାଳିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ।