ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଆଦେଶର ସୀମା ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ | News Room Odisha

ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଆଦେଶର ସୀମା ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜନସ୍ୱାର୍ଥ ମାମଲାରେ ଦିଆଯାଉଥିବା ଆଦେଶର ସୀମା ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ। ୟୁପି ସରକାରଙ୍କ ଆବେଦନ ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ୟୁପି ସରକାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଏକ ମାସ ମଧ୍ୟରେ ରାଜ୍ୟର ସମସ୍ତ ୯୭ ହଜାର ଗାଁରେ ଦୁଇଟି ଲେଖାଏଁ ଆଇସିୟୁଯୁକ୍ତ ଆମ୍ବୁଲାନ୍ସ ନିୟୋଜିତ କରିବାକୁ କୁହାଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେଉଁଥିରେ ୟୁପିର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ‘ଭଗବାନ ଭରସା’ ବୋଲି କୁହାଯାଇଥିଲା।

ଏହାପୂର୍ବରୁ ମେ ୨୧ରେ ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟଙ୍କୁ ଏପରି ନିର୍ଦ୍ଦେଶ ନଦେବାକୁ ପରାମର୍ଶ ଦେଇଥିଲେ ଯାହା ପାଳନ କରିବା ଅସମ୍ଭବ। ସେହି ଦିନ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖିଥିଲେ ।ଆହ୍ଲାବାଦ ହାଇକୋର୍ଟ ତାଙ୍କ ଆଦେଶରେ ୟୁପି ର ସମସ୍ତ ନର୍ସିଂହୋମରେ ଅମ୍ଳଜାନ ଶଯ୍ୟା ଯୋଗାଇବା ଏବଂ ମଧ୍ୟମ ସ୍ତରର ନର୍ସିଂହୋମରେ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବାକୁ ମଧ୍ୟ କହିଥିଲେ।

ସୁପ୍ରିମକୋର୍ଟର ଜଷ୍ଟିସ ଭିନୀତ ସରନ ଏବଂ ଦୀନେଶ ମହେଶ୍ୱରୀଙ୍କ ଏକ ବେଞ୍ଚ ଆଜି କହିଛନ୍ତି ଯେ ଜନସ୍ୱାର୍ଥକୁ ନେଇ ହାଇକୋର୍ଟର ବିଚାରପତିଙ୍କ ଉଦବେଗ ପ୍ରଶଂସାଯୋଗ୍ୟ। କିନ୍ତୁ ଏହା ମଧ୍ୟ ଦେଖିବାକୁ ପଡ଼ିବ ଯେ ବିପତ୍ତି ସମୟରେ କୋର୍ଟ କାର୍ଯ୍ୟନିର୍ବାହୀ ଅଧିକାରରେ କେତେ ମାତ୍ରାରେ ହସ୍ତକ୍ଷେପ କରିପାରନ୍ତି । ସରକାର ଅନେକ ଦିଗ ଉପରେ ବିଚାର କରିବା ପରେ ନିଷ୍ପତ୍ତି ନିଅନ୍ତି। ସରକାରଙ୍କ ପାଖରେ ବିଶେଷଜ୍ଞ ଥାଆନ୍ତି, ଯାହାଙ୍କ ପରାମର୍ଶ ଆଧାରରେ ସରକାର କାର୍ଯ୍ୟ କରନ୍ତି ।
ବ୍ୟାବହାରିକ ସ୍ଥିତିକୁ ବୁଝିନପାରି କୌଣସି ମାମଲାରେ ଆଦେଶ ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ସୁପ୍ରିମକୋର୍ଟ ଆଜି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଏହି ମାମଲାରେ ନ୍ୟାୟ ମିତ୍ର ହୋଇଥିବା ବରିଷ୍ଠ ଓକିଲ ନିଧେଶ ଗୁପ୍ତାଙ୍କୁ ମେ ୨୧ ପରେ ଆସିଥିବା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ ଜଣାଇବାକୁ କହିଥିଲେ। ଏହା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ ହେବ।