ୟୁପିର ୫୦% ବିଜେପି ବିଧାୟକଙ୍କ ଅଛନ୍ତି ତିନିରୁ ଅଧିକ ସନ୍ତାନ, ଲାଗୁ ହେବ ତ ନୂଆ ଜନସଂଖ୍ୟା ନୀତି? | News Room Odisha

ୟୁପିର ୫୦% ବିଜେପି ବିଧାୟକଙ୍କ ଅଛନ୍ତି ତିନିରୁ ଅଧିକ ସନ୍ତାନ, ଲାଗୁ ହେବ ତ ନୂଆ ଜନସଂଖ୍ୟା ନୀତି?

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନୂଆ ଆଇନ ଆଣିବାକୁ ଘୋଷଣା କରିଛନ୍ତି । ଏହି ଆଇନ ଅଧୀନରେ ଦୁଇରୁ ଅଧିକ ସନ୍ତାନ ଥିଲେ ସମ୍ପୃକ୍ତ ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ । ସେମାନଙ୍କୁ ସରକାରୀ ଚାକିରି ପାଇଁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯିବ । ଏହାଛଡ଼ା ଏଭଳି ବ୍ୟକ୍ତି ସ୍ଥାନୀୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ । ତେବେ ଉତ୍ତର ପ୍ରଦେଶ ସରକାରଙ୍କ ଏହି ଜନସଂଖ୍ୟା ନୀତିକୁ ଯଦି ରାଜ୍ୟର ବିଜେପି ବିଧାୟକଙ୍କ କ୍ଷେତ୍ରରେ ଲାଗୁ କରାଯାଏ, ତେବେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ନିଜ ପଦ ହରାଇବେ ।

କାରଣ ବିଜେପିର ୫୦ ପ୍ରତିଶତ ବିଧାୟକଙ୍କ ତିନିରୁ ଅଧିକ ସନ୍ତାନ ଅଛନ୍ତି ।
ଉତ୍ତର ପ୍ରଦେଶ ବିଧାନସଭା ୱେବସାଇଟ୍‌ରେ ପ୍ରଦତ୍ତ ତଥ୍ୟ ମୁତାବକ ୩୯୭ ବିଧାୟକଙ୍କ ମଧ୍ୟରେ ବିଜେପିର ଅଛନ୍ତି ୩୦୪ ଜଣ । ଏମାନଙ୍କ ମଧ୍ୟରୁ ୧୫୨ ଜଣ ବିଜେପି ବିଧାୟକଙ୍କ ତିନିରୁ ଅଧିକ ସନ୍ତାନ ଅଛନ୍ତି । ଏପରିକି ଜଣେ ବିଧାୟକଙ୍କ ୮ଟି ପିଲା ଅଛନ୍ତି, ଯାହାକି ଏହି ତାଲିକାରେ ସର୍ବାଧିକ । ଆଉ ଜଣେ ବିଧାୟକଙ୍କ ୭ଟି ସନ୍ତାନ ଅଛନ୍ତି । ଏହାଛଡା ୮ ଜଣ ସଦସ୍ୟଙ୍କ ୬ଟି ଲେଖାଏଁ ସନ୍ତାନ ଥିବାବେଳେ ୧୫ ଜଣ ବିଧାୟକଙ୍କ ୫ଟି ଲେଖାଏଁ ସନ୍ତାନ ଅଛନ୍ତି । ଶାସକ ଦଳର ଆଉ ୪୪ ଜଣ ବିଧାୟକଙ୍କ ୪ଟି ଲେଖାଏଁ ପିଲା ରହିଥିବା ବେଳେ ଅନ୍ୟ ୮୩ ଜଣ ସଦସ୍ୟଙ୍କ ତିନି ଜଣ ଲେଖାଏଁ ସନ୍ତାନ ଅଛନ୍ତି । ଯଦି ଯୋଗୀ ସରକାରର ନୂଆ ଜନସଂଖ୍ୟା ନୀତି ବିଧାନସଭା ପାଇଁ ଲାଗୁ ହୁଏ, ତେବେ ଏହି ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବେ ।

ଆଉ ଏକ ହାସ୍ୟାସ୍ପଦ କଥା ହେଉଛି, ଚାରିଟି ସନ୍ତାନର ଜନକ ଗୋରଖପୁରରୁ ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶାନ ଲୋକସଭାରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌,୨୦୧୯ ଉପସ୍ଥାପନ କରିବେ । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ବିଲ୍ ଉଦ୍ଦିଷ୍ଟ । କିଶାନ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଅଧୀନରେ ଏହି ବିଲ୍ ଉପସ୍ଥାପନ କରିବେ । ସାଧାରଣତଃ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଗୁଡିକ ପାରିତ ହେବା ସମ୍ଭାବନା କମ୍ ଥାଏ । ସଂସଦରେ ୧୯୭୦ରୁ କୌଣସି ପ୍ରାଇଭେଟ ମେମ୍ବର୍ସ ବିଲ୍ ପାରିତ ହୋଇନାହିଁ ।