ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ଘୋଷଣା କଲା ଆଇସିସି, ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ | News Room Odisha

ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ଘୋଷଣା କଲା ଆଇସିସି, ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ଦୁବାଇ: ୧୭ ଅକ୍ଟୋବରରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ପାଇଁ ଆଇସିସି ଗ୍ରୁପ୍ ଘୋଷଣା କରିଛି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି। ଏଭଳି ସ୍ଥିତିରେ ଦୁଇ ବର୍ଷ ପରେ ପୁଣି ଥରେ ଏସିଆର ଏହି ଦୁଇ ପାଓ୍ବାର ହାଉସ୍ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ଆଇସିସି ଉଭୟ ଭାରତ ଏବଂ ପାକିସ୍ତାନକୁ ଗ୍ରୁପ୍-୨ରେ ରଖିଛି। ଏହି ଦଳରେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଏବଂ ଦୁଇଟି କ୍ବାଲିଫାୟର ଦଳ ରହିବେ। ୨୦୨୧ ଟି-୨୦ ବିଶ୍ୱକପ ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଏବଂ ଓମାନରେ ଖେଳାଯିବ |

ଗ୍ରୁପ୍ -୧ ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ରହିଛନ୍ତି | ପ୍ରତ୍ୟେକ ଗ୍ରୁପରେ ୬ ଦଳ ରହିବେ | ଗ୍ରୁପର ଅନ୍ୟ ଦଳ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ଫଳାଫଳ ଅନୁଯାୟୀ ସ୍ଥିର କରାଯିବ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ବିଶ୍ୱକପ ଅନୁଷ୍ଠିତ ହେବ |

ଶେଷ ଥର ପାଇଁ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନର ଟିମ୍ ମୁହାଁମୁହିଁ ହୋଇଥିଲେ। ଭାରତ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଥିଲା। ପାକିସ୍ତାନ ଏପର୍ଯ୍ୟନ୍ତ ଦିନିକିଆ ଏବଂ ଟି-୨୦ ବିଶ୍ୱକପରେ ଭାରତକୁ ହରାଇପାରି ନାହିଁ।