ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବ | News Room Odisha

ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବ

ପୁରୀ – ପବିତ୍ର ବାହୁଡା ଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ସଟଡାଉନ ଲାଗୁ ହେବ । ଆସନ୍ତା ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ୧୪୪ ଧାରା ଜାରି ହେବ । ବଡଦାଣ୍ଡରେ ସାଧାରଣ ଲୋକଙ୍କ ଚଳପ୍ରଚଳ ମନା ହେବ । ବଡଦାଣ୍ଡରେ ଥିବା କୋଠାର ଛାତ ଓ ବାଲକୋନିରେ ମଧ୍ୟ କେହି ରହିପାରିବେ ନାହିଁ । ୧୪୪ ଧାରା ବଳବତ୍ତର ଥିବା ବେଳେ ବଡଦାଣ୍ଡକୁ ଯାନବାହନ ଯାଇପାରିବ ନାହିଁ । ସମସ୍ତ ହୋଟେଲ, ଲଜ୍‌, ଧର୍ମଶାଳା ଓ ଅତିଥି ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ । ବଡଦାଣ୍ଡରେ ଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଔଷଧ ଦୋକାନ ମଧ୍ୟ ବନ୍ଦ ରହିବ । ଜିଲ୍ଲାର ୮ଟି ପ୍ରବେଶ ପଥକୁ ସିଲ୍ କରିଦିଆଯିବ । ପୁରୀ ସହରକୁ ସଂଯୋଗ କରୁଥିବା ବାଟଗାଁ, ମଙ୍ଗଳାଘାଟ ଓ ଗ୍ରୀଡ ଷ୍ଟେସନ ଛକ ମଧ୍ୟ ସିଲ୍ ହେବ ।