ଭାଲୁକୁ କାବୁ କଲା ବନ ବିଭାଗ | News Room Odisha

ଭାଲୁକୁ କାବୁ କଲା ବନ ବିଭାଗ

୩ ଦିନ ଧରି ଜିଲ୍ଲାପାଳ ବାସ ଭବନରେ ଆତଙ୍କ ଖେଳାଇଥିଲା 

ନୂଆପଡ଼ା : ଗତ କିଛି ଦିନ ହେଲା ନୂଆପଡ଼ା ସହର ଭିତରେ ଏକ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇ ଆସୁଥିଲା । ଗତ ୩ ଦିନ ଧରି ରାତିରେ ଭାଲୁଟି ଜିଲ୍ଲାପାଳଙ୍କ ବାସଭବନ ଭିତରକୁ ପଶି ଆତଙ୍କ ଖେଳାଉଥିଲା । ଗତକାଲି ରାତି ୯ ଟାରେ ବନ ବିଭାଗ କର୍ମଚାରୀ ଭାଲୁକୁ ଘଉଡାଇବା ପାଇଁ ଜିଲ୍ଲାପାଳଙ୍କ ବାସଭବନକୁ ଘେରି ରଖିଥିଲେ । ବନ କର୍ମଚାରୀ ମାନେ ବାସଭବନ ଚାରି ପଟେ ଆଲୁଅ ଲଗାଇବା ସହ ଠେଙ୍ଗା, ବାଡ଼ି ଧରି ଜଗି ରହିଥିଲେ । ଫଳରେ ଜିଲ୍ଲାପାଳ ବାସଭବନ ପରିସରକୁ ଆସି ପାରିନଥିଲା । ରାତି ସାଢ଼େ ୧୦ ଟାରେ ଜଙ୍ଗଲୀ ଭାଲୁ ନୂଆପଡ଼ା ଥାନା ଭିତରେ ବୁଲୁ ଥିଲା । ସଦର ଥାନା ପରିସରରେ ଅଧା ଘଣ୍ଟା ଧରି ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆତଙ୍କିତ କରିଥିଲା ।

ଖଡ଼ିଆଳ ଡିଏଫଓ ବିବେକ କୁମାର ଓ ବନ୍ୟପ୍ରାଣୀ ବିଭାଗ ଡିଏଫଓ ବିନୟ ଭୂଷଣ କୁମାର ବିଶ୍ଵାସୀଙ୍କ ତତ୍ତ୍ବାବଧାନରେ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଦିଲୀପ ଚମ୍ପତ୍ତିରାୟ ଓ ସଦର ରେଞ୍ଜର ବିନୀତା ଭୋଇଙ୍କ ନେତୃତ୍ୱରେ ଭାଲୁକୁ ଧରିବା ପାଇଁ ଏକ ୨୦ ଜଣିଆ ବନ ବିଭାଗ ଟିମ ଗଠନ ହୋଇଥିଲା । ରାତିରେ ବନ ବିଭାଗ କର୍ମଚାରୀ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଭାଲୁକୁ ଧରିବା ପାଇଁ ଯନ୍ତା ବସାଇ ଥିଲେ । ଯନ୍ତାରେ ଆମ୍ବ ଓ ସପୁରୀ ଖାଇବାକୁ ଦେଇ ବନ କର୍ମଚାରୀ ରାତିରେ ଛକି ବସିଥିଲେ । ରାତି ପ୍ରାୟ ୩ ଟାରେ ଜଙ୍ଗଲୀ ଭାଲୁ ଆମ୍ବ ଖାଇବାକୁ ଜିଲ୍ଲାପାଳଙ୍କ ବାସଭବନକୁ ପଛ ପଟେ ପାଚେରୀ ଡେଇଁ ଭିତରକୁ ପ୍ରବେଶ କରିଥିଲା । ସେଠାରେ ବ୍ୟାଡ ମିଣ୍ଟନ କୋର୍ଟ ନିକଟରେ କିଛି ଆମ୍ବ ଖାଇଥିଲା । ପରେ ଯନ୍ତା ଭିତରେ ରଖା ଯାଇଥିବା ଆମ୍ବକୁ ଖାଇବାକୁ ପଶିବା ସମୟରେ ଯନ୍ତ୍ର ଗେଟକୁ ବନ୍ଦ କରିଥିଲେ । ରାତି ପ୍ରାୟ ୩ ଟା ୧୫ ମିନିଟରେ ଭାଲୁକୁ ଯନ୍ତାରେ ପକାଇ ବନ ବିଭାଗ କର୍ମଚାରୀ ମାନେ ନେଇ ଯାଇଥିଲେ। ଆଜି ସକାଳୁ ଏକ ନିଛାଟିଆ ସ୍ଥାନରେ ଭାଲୁକୁ ରଖା ଯାଇଛି । ସୁନାବେଡା ଅଭୟାରଣ୍ୟ ଭିତରେ ଭାଲୁକୁ ଛାଡିବାକୁ ଯୋଜନା ଚାଲିଛି । ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଅନୁମତି ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୂଆପଡା ବନ୍ୟପ୍ରାଣୀ ରେଞ୍ଜର ଶ୍ରୀ ଚମ୍ପତ୍ତିରାୟ ସୂଚନା ଦେଇଛନ୍ତି ।