ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ, ଯୁବ ଖେଳାଳିଙ୍କୁ ସୁଯୋଗ | News Room Odisha

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ, ଯୁବ ଖେଳାଳିଙ୍କୁ ସୁଯୋଗ

କଲମ୍ବୋ: ଆଉ କିଛି ସମୟ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିିରିଜ ଆରମ୍ଭ ହେବ । କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ୱରେ ଏହି ସିରିଜ ଯୁବ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ସିରିଜରେ ନିଜ ଦକ୍ଷତା ପ୍ରଦର୍ଶନ ସହ ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ଲକ୍ଷ୍ୟରେ ରହିବେ ଭାରତର ଯୁବ ଖେଳାଳି । ଶ୍ରୀଲଙ୍କା ବିପକ୍ଷ ସିରିଜ ସେମାନଙ୍କ ପାଇଁ ଏକ ପ୍ରବେଶିକା ପରୀକ୍ଷା ସଦୃଶ ହେବ ।
ଭାରତ-ଶ୍ରୀଲଙ୍କା ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଖେଳିବେ । ଏହି ସିରିଜ ପ୍ରଥମେ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । ତେବେ ଶ୍ରୀଲଙ୍କା ଦଳରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଏହାକୁ ପାଞ୍ଚ ଦିନ ଘୁଞ୍ଚାଇ ଦିଆଯାଇଥିଲା । ପାଉଣା ଚୁକ୍ତି ବିବାଦ ଓ ଲଗାତର ପରାଜୟ ଯୋଗୁଁ ଚାପରେ ଥିବା ଶ୍ରୀଲଙ୍କାର ଅନଭିଜ୍ଞ ଦଳ ପାଇଁ ମଧ୍ୟ ଏହି ସିରିଜ ଏକ ଚ୍ୟାଲେଞ୍ଜ । ଭାରତ ବିପକ୍ଷ ଏହି ସିରିଜ ପାଇଁ ଦାସୁନ ଶନକା ଶ୍ରୀଲଙ୍କାର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଗତ ଚାରି ବର୍ଷ ମଧ୍ୟରେ ଶନକା ହେଉଛନ୍ତି ଶ୍ରୀଲଙ୍କାର ଦଶମ ଅଧିନାୟକ । ଶନକାଙ୍କ ବ୍ୟତୀତ ଧନଞ୍ଜୟ ଡି’ସିଲଭା ଓ ଦୁଷ୍ମନ୍ତ ଚାମିରାଙ୍କୁ ଛାଡ଼ି ଦେଲେ ଶ୍ରୀଲଙ୍କାର ଏହି ଟିମ୍ ପାଖରେ ଧାୱନଙ୍କ ଅପେକ୍ଷାକୃତ ଶକ୍ତିଶାଳୀ ଦଳକୁ ଟକ୍କର ଦେବା ପାଇଁ ସେଭଳି ଅଭିଜ୍ଞତା ନାହିଁ ।

ଇଂଲଣ୍ଡ ଗସ୍ତରେ ବାୟୋ ବବଲ୍ ପ୍ରୋଟୋକଲ ଉଲ୍ଲଂଘନ କରିବା ଯୋଗୁଁ କୁଶଲ ମେଣ୍ଡିସ ଓ ନିରୋଶାନ ଡିକୱେଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିବାରୁ ଭାରତ ବିପକ୍ଷ ସିରିଜରୁ ବଞ୍ଚିତ ହୋଇଛନ୍ତି । ତା’ଛଡା ଆଘାତ ସମସ୍ୟା ଯୋଗୁଁ ପୂର୍ବତନ ଅଧିନାୟକ କୁଶଲ ପେରେରା ମଧ୍ୟ ବାଦ୍ ପଡିଥିବାରୁ ଶ୍ରୀଲଙ୍କା ଦଳର ସମସ୍ୟା ଦ୍ୱିଗୁଣିତ ହୋଇଛି । ଏଭଳି ସ୍ଥିତିରେ ଯଦି ଶ୍ରୀଲଙ୍କା ଏହି ସିରିଜର ଗୋଟିଏ ମ୍ୟାଚ୍ ଜିତିପାରୁଛି, ତାହା ହେଲେ ଏହା ଦଳପାଇଁ ଏକ ବଡ଼ ଉପଲବ୍ଧି ହେବ । ଇଂଲଣ୍ଡ ବିପକ୍ଷ ସିରିଜରେ ଉଭୟ ଦିନିକିଆ ଓ ଟି୨୦ ସିରିଜ ହାରିବା ପରେ ଭାରତ ବିପକ୍ଷ ଘରୋଇ ସିରିଜରେ ଭାଗ୍ୟ ପରିବର୍ତ୍ତନ ଆଶାରେ ରହିଛି ।
ଭାରତ: ଶିଖର ଧାୱନ୍ (ଅଧିନାୟକ), ପୃଥ୍ୱୀ ଶ’, ଦେବଦତ୍ତ ପାଡିକ୍କଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ନୀତିଶ ରାଣା, ଇଶାନ କିଶାନ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, କ୍ରିଷ୍ଣପ୍ପା ଗୌତମ, ୟୁଜବେନ୍ଦ୍ର ଚହଲ, କୁଲଦୀପଯାଦବ, ବରୁଣ ଚକ୍ରବର୍ତ୍ତି, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଚେତନ ସକାରିୟା, ନବଦୀପ ସାଇନି ।

ଶ୍ରୀଲଙ୍କା: ଦାସୁନ ଶନକା (ଅଧିନାୟକ), ଧନଞ୍ଜୟ ଡି’ସିଲଭା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକ୍ସା, ପାଥୁନ୍ ନିଶଙ୍କା, ଚାରିତ ଆସାଲଙ୍କା, ୱାନିନ୍ଦୁ ହସାରଙ୍ଗା, ଆସେନ ବନ୍ଦାରା, ମିନୋଦ ଭାନୁକା, ଲାହିରୁ ଉଦାରା, ରମେଶ ମେଣ୍ଡିସ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକସନ ସନ୍ଦାକନ, ଅକିଲା ଧନଞ୍ଜୟ, ଶିରନ ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଲକସନ୍, ଇଶାନ ଜୟରତ୍ନେ, ପ୍ରବୀଣ ଜୟୱିକ୍ରେମା, ଆସିତା ଫର୍ଣ୍ଣାଣ୍ଡୋ, କାସୁନ ରଞ୍ଜିତା, ଲାହିରୁ କୁମାରା, ଇସୁରୁ ଉଡାନା ।
ସମୟ: ଅପରାହ୍ନ ୩ଟା
ପ୍ରସାରଣ: ସୋନି ସିକ୍ସ/ଟେନ୍-୧