ପେଗାସସ୍ ବିବାଦରେ ସରକାରଙ୍କୁ ଘେରିଲେ ବିରୋଧୀ | News Room Odisha

ପେଗାସସ୍ ବିବାଦରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ପେଗାସସ୍ ସଫ୍ଟୱେର୍ ମାମଲା ସାମ୍ନାକୁ ଆସିବା ପରେ ସରକାର ଦେଇଥିବା ସ୍ପଷ୍ଟୀକରଣରେ ବିରୋଧୀ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ସରକାର ଏହି ପ୍ରସଙ୍ଗରେ ଜବାବ୍ ରଖିନ୍ତୁ ବୋଲି ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି ଦାବି କରିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ ହୋଇଛି।

ଓୱାଇସି ଟ୍ୱିଟ୍ କରି ସରକାରଙ୍କୁ ପଚାରିଛନ୍ତି ଯେ ଫୋନ୍ ଟ୍ୟାପିଂ ନୁହେଁ ହ୍ୟାକିଂ ପାଇଁ ପେଗାସସ୍ ସଫ୍ଟୱେର୍ ବ୍ୟବହାର କରାଯାଇଛି । ସେ କହିଛନ୍ତି ଯେ ହ୍ୟାକିଂ ଏକ ଅପରାଧ, ଏହା କୌଣସି ବ୍ୟକ୍ତି କିମ୍ବା ସରକାର ଦ୍ୱାରା କରାଯାଉନା କାହିଁକି। ସେ ସରକାରଙ୍କୁ ଦୁଇଟି ପ୍ରଶ୍ନ ପଚାରିଛନ୍ତି। ପ୍ରଥମେ, ସରକାର ଇସ୍ରାଏଲର ପେଗାସସ୍ ଗୁଇନ୍ଦା ସଫ୍ଟଓୟାର ବ୍ୟବହାର କରିଥିଲେ କି? ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ନାମଗୁଡ଼ିକୁ ସରକାର ନିଜ ସର୍ଭିଲାନ୍ସ ପରିସରଭୁକ୍ତ କରିଥିଲେ କି ନାହିଁ?

ସେହିପରି ସୂର୍ଯ୍ୟ ପ୍ରତାପ ସିଂ ମଧ୍ୟ ପେଗାସସ୍ ମାମଲାରେ ଟ୍ୱିଟ୍ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗୁଇନ୍ଦା ଫାଶରେ ଅନେକ ବିଶିଷ୍ଟ ଲୋକ ପଡିଛନ୍ତି । ସାମ୍ବାଦିକ, ବିରୋଧୀ ଦଳର ନେତା, ଏପରିକି ସୁପ୍ରିମକୋର୍ଟର ବିଚାରପତି ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି। ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଏହି ସବୁ ଫୋନ୍ ଟ୍ୟାପ୍ କାହିଁକି କରାଯାଉଥିଲା? ବିପଦ କ’ଣ ଥିଲା? ସରକାର ଗଣତନ୍ତ୍ରର କଣ୍ଠରୁଦ୍ଧ କରୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ଆମେ ଜାଣୁ ସେମାନେ ଆମ ଫୋନରେ କଣ ପଢୁଛନ୍ତି।

କଂଗ୍ରେସ ନେତା ଶ୍ରୀନିବାସ ବିୱି ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ବି ବିଜେପି ଗୁଇନ୍ଦାଗିରି କରୁଥିଲା ।