କରୋନା ଅପଡେଟ୍: ମାସକ ପରେ ସର୍ବାଧିକ ମୃତ୍ୟୁ, ଦିନକରେ ୩୯୯୮ ଜଣଙ୍କ ମୃତ୍ୟୁ, ଆଉ ୪୨,୦୧୫ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ମାସକ ପରେ ସର୍ବାଧିକ ମୃତ୍ୟୁ, ଦିନକରେ ୩୯୯୮ ଜଣଙ୍କ ମୃତ୍ୟୁ, ଆଉ ୪୨,୦୧୫ ନୂଆ ମାମଲା

ନୂଆଦିଲ୍ଲୀ: ୧୨୫ ଦିନ ପରେ ଦେଶରେ ଗତକାଲି ସର୍ବନିମ୍ନ (୩୦,୦୯୩) କରୋନା ମାମଲା ରିପୋର୍ଟ ହେବାପରେ ଆଜି ପୁଣି ଏହି ସଂଖ୍ୟା ୪୦ ହଜାର ଟପିଛି। ମାସକ ପରେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୨,୦୧୫ ନୂଆ ମାମଲା ରେକର୍ଡ ହୋଇଛି । ଦିନକରେ ୩୯୯୮ ଲୋକ ପ୍ରାଣ ହରାଇଛନ୍ତି, ଯାହା ଏକ ମାସ ପରେ ସର୍ବାଧିକ । ମହାରାଷ୍ଟ୍ର ୧୪ତମ ଥର ପାଇଁ କରୋନା ମୃତ୍ୟୁ ଅଡିଟ୍ କରିଥିବାରୁ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ି ଯାଇଛି । ଗତ ୨୪ ଘଣ୍ଟାରେ ଆଉ ୩୬,୯୯୭ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷରୁ ଅଧିକ ରହିଛି | ଏବେ ଦେଶରେ ୪ ଲକ୍ଷ ୭ ହଜାର ଲୋକ ଏବେବି କରୋନା ଜୀବାଣୁ ସଂକ୍ରମିତ ଅଛନ୍ତି, ଯେଉଁମାନେ ଚିକିତ୍ସିତ ହେଉଛନ୍ତି। ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ତିନି କୋଟି ୧୨ ଲକ୍ଷ ୧୬ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୧୮ ହଜାର ୪୮୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୩ କୋଟି ୩ ଲକ୍ଷ ୯୦ ହଜାର ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଜୁଲାଇ ୨୦ ପର୍ଯ୍ୟନ୍ତ ସାରା ଦେଶରେ ୪୦ କୋଟି ୫୪ ଲକ୍ଷ ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୩୪ ଲକ୍ଷ ୨୫ ହଜାର ଟିକା ଦିଆଯାଇଥିଲା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୪୪ କୋଟି ୯୧ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୮.୫୨ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |

COVID-19