ଜମ୍ମୁକାଶ୍ମୀର ବାନ୍ଦିପୋରାରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ | News Room Odisha

ଜମ୍ମୁକାଶ୍ମୀର ବାନ୍ଦିପୋରାରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଶନିବାର ସୁରକ୍ଷା ବାହିନୀଙ୍କ ସହ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ ।

ବାନ୍ଦିପୋରାର ସୋକାବାବା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ବାନ୍ଦିପୋରା ପୋଲିସ୍‌, ସେନାର ୧୩ ଓ ୧୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫ୍‌ର ମିଳିତ ଟିମ୍ ତରଫରୁ ସେଠାରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଚାରିଆଡ଼ୁ ଘେରି ହୋଇଯିବା ଜାଣି ଆତଙ୍କବାଦୀ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ ବି କୁହାଯାଇଥିଲା । କିନ୍ତୁ ଆତଙ୍କୀ ଫାୟାରିଂ ଜାରି ରଖିଥିଲେ । ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କୀ ନିହତ ହୋଇଥିଲେ ।

ଏହା ପୂର୍ବରୁ ଶୁକ୍ରବାର ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋରରେ ରାତିସାରା ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା । ଏଥିରେ ଜଣେ ଲସ୍କର କମାଣ୍ଡର ସହ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷା ବାହିନୀ ।