ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ପଦାର୍ପଣ କରିବେ ବରୁଣ ଚକ୍ରବର୍ତ୍ତି | News Room Odisha

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ପଦାର୍ପଣ କରିବେ ବରୁଣ ଚକ୍ରବର୍ତ୍ତି

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ । ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଟି୨୦ ସିରିଜ୍ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିବ ଭାରତ । ଦିନିକିଆ ସିରିଜରେ ସୁଯୋଗ ପାଇନଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତି ଟି୨୦ ସିରିଜରେ ଅନ୍ତର୍ଜାତୀୟ ପଦାର୍ପଣ କରିପାରନ୍ତି ।

ଦିନିକିଆ ସିରିଜର ଶେଷ ମ୍ୟାଚରେ ଧାୱନଙ୍କ ଦଳ ୩ ୱିକେଟରେ ପରାସ୍ତ ହୋଇଥିଲା । ଟି୨୦ ସିରିଜ୍ ପୂର୍ବରୁ ଉକ୍ତ ସାନ୍ତ୍ୱନାମୂଳକ ବିଜୟ ଶ୍ରୀଲଙ୍କାର ମନୋବଳ ବଢ଼ାଇଛି । ତେବେ ଅନେକ ଆଇପିଏଲ୍ ତାରକାରେ ଭରପୂର ଭାରତୀୟ ଦଳକୁ ଏହି ଫର୍ମାଟରେ ହରାଇବା ଯୁବ ଶ୍ରୀଲଙ୍କା ଦଳ ପାଇଁ ସହଜ ହେବ ନାହିଁ । ଟି୨୦ରେ ସମସ୍ତଙ୍କ ନଜର ଚକ୍ରବର୍ତ୍ତିଙ୍କ ଉପରେ ରହିବ । ଚକ୍ରବର୍ତ୍ତି ବହୁ ପୂର୍ବରୁ ନିଜ ଅନ୍ତର୍ଜାତୀୟ ପଦାର୍ପଣ କରିପାରିଥାଆନ୍ତେ । ହେଲେ ଫିଟ୍‌ନେସ୍ ସମସ୍ୟା ଯୋଗୁଁ ସେ ଅଷ୍ଟ୍ରେଲିଆ ଗସ୍ତ ସହ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ବଞ୍ଚିତ ହୋଇଥିଲେ । ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଚକ୍ରବର୍ତ୍ତିଙ୍କ ସହ ଦେବଦତ୍ତ ପାଡିକଲ୍‌ଙ୍କୁ ମଧ୍ୟ ସୁଯେଗା ମିଳିପାରେ । ଚଳିତ ବର୍ଷ ଅକ୍ଟୋବରରେ ଟି୨୦ ବିଶ୍ୱକପ ହେବାକୁ ଥିବାବେଳେ ଭାରତୀୟ ଦଳରେ ସ୍ଥାନ ପକ୍କା କରିବା ପାଇଁ ଶ୍ରୀଲଙ୍କା ବିପକ୍ଷ ସିରିଜ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ।