ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବ ଡୋମିନୋସ୍ | News Room Odisha

ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବ ଡୋମିନୋସ୍

ନୂଆଦିଲ୍ଲୀ: ଭାରତର ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଏହାସହ ଭାରୋତ୍ତୋଳନରେ ପଦକ ପାଇଁ ଭାରତର ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିଛି | ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଚାନୁ ଏହି ସଫଳତା ହାସଲ କରି ଭାରତର ପଦକ ଖାତା ଖୋଲିଛନ୍ତି । ମିରାବାଇ ସ୍ନାଚ୍ ଏବଂ କ୍ଲିନ୍ ଏବଂ ଜର୍କ ରାଉଣ୍ଡରେ ମୋଟ ୨୦୨ କିଲୋଗ୍ରାମ ଉଠାଇଥିଲେ | ଏହି ଐତିହାସିକ ସଫଳତା ପରେ ଚାନୁ ଏକ ସାକ୍ଷାତକାରରେ ପିଜ୍ଜା ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ଡୋମିନୋସ୍ ତାଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବାକୁ ଘୋଷଣା କରିଛି ।

ଡୋମିନୋ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, “ସେ (ଚାନୁ) କହିଛନ୍ତି ଏବଂ ଆମେ ଶୁଣିଲୁ। ପିଜା ଖାଇବାକୁ ମୀରାବାଇ ଚାନୁ ଅପେକ୍ଷା କରନ୍ତୁ ବୋଲି ଆମେ ଚାହୁଁନାହୁଁ। ସେଥିପାଇଁ ଆମେ ତାଙ୍କୁ ଆଜୀବନ ପାଇଁ ମାଗଣା ଡୋମିନୋସ୍ ପିଜା ଦେଉଛୁ।”

କମ୍ପାନୀର ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି | ସୋସିଆଲ ମିଡିଆରେ ଲୋକେ ଏଥିପାଇଁ ଡୋମିନୋସ୍ କୁ ଧନ୍ୟବାଦ ଦେଉଛନ୍ତି | ମୀରାବାଇଙ୍କ ପୂର୍ବରୁ ୨୦୦୦ ସିଡନୀ ଅଲିମ୍ପିକ୍ସରେ କର୍ଣ୍ଣମ ମଲ୍ଲେଶ୍ବରୀ ଭାରୋତ୍ତୋଳନରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ୨୧ ବର୍ଷ ପରେ ଏବେ ମୀରାବାଇ ଚାନୁ ଭାରୋତ୍ତୋଳନ ଇଭେଣ୍ଟରେ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଛନ୍ତି |