ଅଲିମ୍ପିକ୍ସ ଫ୍ଲାସବ୍ୟାକ୍ – (୨୦୦୪ -୨୦୧୬ ) | News Room Odisha

ଅଲିମ୍ପିକ୍ସ ଫ୍ଲାସବ୍ୟାକ୍ – (୨୦୦୪ -୨୦୧୬ )

ବିଜନ କୁମାର ମହାପାତ୍ର

ନ୍ୟୁଜରୁମ ଓଡିଶାର ସ୍ୱତନ୍ତ୍ର ଅଲିମ୍ପିକ୍ସ ଉପସ୍ଥାପନାରେ ଆଜି ଆମେ ୨୦୦୪ ରୁ ୨୦୧୬ ଯାଏଁ ଆୟୋଜିତ ଅଲିମ୍ପିକ କ୍ରୀଡା ଉପରେ ନଜର ପକାଇବା ।

୨୦୦୪ –ଏଥେନସ ଅଲିମ୍ପିକ୍ସ

୨୦୦୪ରେ ଜନ୍ମସ୍ଥଳ ଗ୍ରୀସକୁ ଫେରିଥିଲା ଅଲିମ୍ପିକ୍ସ । ଏଥେନସରେ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ । ତେବେ ଏଥନସରେ ଅଲିମ୍ପିକ ପ୍ରସ୍ତୁତି ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଥିଲା । କାରଣ ଉଦଘାଟନୀ ଉତ୍ସବକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ କିଛି ଷ୍ଟାଡିୟମର କାମ ସଂପୂର୍ଣ୍ଣ ହୋଇ ନ ଥିଲା । ସୁରକ୍ଷା ବ୍ୟବସ୍ଥା ନେଇ ବି ଉଠିଥିଲା ପ୍ରଶ୍ନ । ଅତ୍ୟଧିତ ଗରମ ବି ଥିଲା ଏକ ବଡ ଆହ୍ୱାନ । ବିଭିନ୍ନ ଦେଶର ଗଣମାଧ୍ୟମ ଗ୍ରୀସର ଆୟୋଜନ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ । କିନ୍ତୁ ସବୁ ଆଶଙ୍କାକୁ ଦୂର କରି ବିନା ପ୍ରତିବନ୍ଧକରେ ଓ ସୁରୁଖୁରୁରେ ଆରମ୍ଭ ହେଲା ଏଥେନସ ଅଲିମ୍ପିକ୍ସ । ଉଦଘାଟନୀ ଉତ୍ସବ ବେଳକୁ ସବୁ ଷ୍ଟାଡିୟମର ନିର୍ମାଣ ସରିଯାଇଥିଲା । ସବୁ ପ୍ରକାର ବ୍ୟବସ୍ଥା ଚୂଡାନ୍ତ ହୋଇଥିଲା । ସବୁ କିଛି ବ୍ୟବସ୍ଥିତ ଢଙ୍ଗରେ ହେଲା । ରେକର୍ଡ ୨୦୧ ଦେଶର ୧୧ ହଜାର ପ୍ରତିଯୋଗୀ ଏଥେନସ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ୨୮ଟି କ୍ରୀଡାର ୩୭ଟି ଶୃଙ୍ଖଳାରେ ହୋଇଥିଲା ପ୍ରତିଯୋଗିତା । ପ୍ରଥମ ଥର ପାଇଁ ମହିଳାମାନେ ଫ୍ରିଷ୍ଟାଇଲ ରେସଲିଂ ଓ ସାବ୍ରେ ଫେନ୍ସିଂରେ ଭାଗ ନେଇଥିଲେ । ସନ୍ତରଣରେ ଆମେରିକୀୟ ତାରକା ମାଇକେଲ ଫେଲ୍‌ପ୍ସ ୬ଟି ସ୍ୱର୍ଣ୍ଣ ଓ ୨ ବ୍ରୋଞ୍ଜ ଜିତି ଏଥେନସର ତାରକା ଆଥଲେଟ ହୋଇଥିଲେ ।

ମାରାଥନ ଦୌଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୌଡରେ ଆଗୁଆ ଥିବା ବ୍ରାଜିଲର ଧାବକ ଭାନ୍ଦେରଲାଇ ଲିମାଙ୍କୁ ଜଣେ ମାନସିକ ବିକାରଗ୍ରସ୍ତ ଦର୍ଶକ ଆକ୍ରମଣ କରିଥିଲେ । ଫଳରେ ସେ ଦୌଡରେ ପଛରେ ପଡିଯାଇଥିଲେ । ତାଙ୍କଠାରୁ ପଛରେ ଥିବା ଇଟାଲୀର ଷ୍ଟିଫାନୋ ବାଲଦିନି ସ୍ୱର୍ଣ୍ଣ ପଦକ ଜିତିଥିଲେ । କିନ୍ତୁ ଲିମା ବ୍ରୋଞ୍ଜରେ ହିଁ ସନ୍ତୁଷ୍ଟ ହୋଇଥିଲେ । ଲିମାଙ୍କ ଖେଳୁଆଡ ମନୋଭାବେ ପାଇଁ ତାଙ୍କୁ ପିୟର ଡି କୁବୋର୍ଟିନ ପଦକ ଦିଆଯାଇଥିଲା ।

୨୦୦୮ – ବେଜିଂ ଅଲିମ୍ପିକ୍ସ

ଅଲିମ୍ପିକ୍ସର ୨୦୦୮ ସଂସ୍କରଣ ଆୟୋଜକ ଥିଲା ଚୀନ୍ ରାଜଧାନୀ ବେଜିଂ । ଅଲିମ୍ପିକ୍ସ ଆୟୋଜନ କରିବାରେ ଏସିଆ ମହାଦେଶର ତୃତୀୟ ସହର ଥିଲା ବେଜିଂ । ପ୍ରଦୂଷଣ ସମସ୍ୟା, ଦୁର୍ବଳ ମାନବାଧିକାର ରେକର୍ଡ ଓ ତିବତ ସମସ୍ୟା ଯୋଗୁଁ ଚୀନ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି ହୋଇଥିଲା । କିନ୍ତୁ ଏକ ଭବ୍ୟ ଅଲିମ୍ପିକ୍ସ ଆୟୋଜନ କରିବାକୁ ଦୃଢ ପ୍ରତିଜ୍ଞ ଥିଲା ଚୀନ୍ । ବିନା କୌଣସି ବଡ ସମସ୍ୟାରେ ସୁରୁଖୁରୁରେ ଅଲିମ୍ପିକ୍ସ ଆୟୋଜିତ କରିଥିଲା ଚୀନ୍ । ବେଜିଂ ଅଲିମ୍ପିକ୍ସ ସବୁଠୁ ସଫଳ ଅଲିମ୍ପିକ୍ସ ମଧ୍ୟରେ ଅନ୍ୟତମ ବୋଲି କହି ଆଇଓସି ପ୍ରଶଂସା କରିଥିଲା ।

Michael Phelps

୨୦୪ଟି ଦେଶର ୧୧ ହଜାରରୁ ଅଧିକ ପ୍ରତିଯୋଗୀ ବେଜିଂ କ୍ରୀଡାରେ ଭାଗ ନେଇଥିଲେ । ୨୮ଟି କ୍ରୀଡାରେ ୩୦୨ଟି ଇଭେଂଟରେ ପ୍ରତିଯୋଗିତା ହୋଇଥିଲା । ଆମେରିକାର ମାଇକେଲ୍ସ ଫେଲ୍‌ପ୍ସ ସନ୍ତରଣରେ ସୃଷ୍ଟି କରିଥିଲେ ନୂଆ ଅଲିମ୍ପିକ୍ସ ରେକର୍ଡ । ଗୋଟିଏ ଅଲିମ୍ପିକ୍ସରେ ସର୍ବାଧିକ ୮ଟି ସ୍ୱର୍ଣ୍ଣ ଜିତି ସ୍ୱଦେଶର ହିଁ ମାର୍କ ସ୍ପିଜଙ୍କ ପୂର୍ବ ରେକର୍ଡ ଭଙ୍ଗ କରିଥିଲେ । ଆଉ ଜଣେ ଆଥଲେଟଙ୍କ ଐତିହାସିକ ପ୍ରଦର୍ଶନ ପାଇଁ ବି ବେଜିଂ ଅଲିମ୍ପିକ୍ସ ମନେ ରହିବ । ସେହି ଆଥଲେଟ ହେଲେ ଜାମାଇକାର ସ୍ପ୍ରିଣ୍ଟର ୟୁଜେନ ବୋଲ୍ଟ । ଉଭୟ ୧୦୦ ଓ ୨୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ ଟାଇମିଂ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ବୋଲ୍ଟ । ଏହା ପରେ ୪ ଗୁଣା ୧୦୦ ମିଟର ଦୌଡରେ ବି ସେ ବିଶ୍ୱରେକର୍ଡ ଟାଇମିଂ ସହ ଜାମାଇକା ପାଇଁ ଜିତିଥିଲେ ଅନ୍ୟ ଏକ ସ୍ୱର୍ଣ୍ଣ ।

ଭାରତ ପାଇଁ ବି ବେଜିଂ ଅଲିମ୍ପିକ୍ସ ମନେ ରହିବ । କାରଣ ଅଲିମ୍ପିକ୍ସରେ ଭାରତ ପାଇଁ ସର୍ବପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ ସୁଟର ଅଭିନବ ବିନ୍ଦ୍ରା । ୧୦ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତିଥିଲେ ବିନ୍ଦ୍ରା ।

୨୦୧୨ –ଲଣ୍ଡନ ଅଲିମ୍ପିକ୍ସ

୨୦୧୨ ମସିହାରେ ଅଲିମ୍ପିକ୍ସ ଆୟୋଜନ କରିଥିଲା ଲଣ୍ଡନ ନଗରୀ । ତିନି ଥର ଆଧୁନିକ ଅଲିମ୍ପିକ୍ସ ଆୟୋଜନ କରିବାରେ ବିଶ୍ୱର ପ୍ରଥମ ସହର ହୋଇଥିଲା ଲଣ୍ଡନ । ଉଦଘାଟନୀ ଉତ୍ସବ ଥିଲା ବେଶ୍ ଭବ୍ୟ, ବର୍ଣ୍ଣାଢ୍ୟ ଓ ସୃଜନଶୀଳ । ୨୦୪ଟି ଦେଶରୁ ୧୦ ହଜାର ୫ ଶହ ପ୍ରତିଯୋଗୀ ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ୩୬ଟ କ୍ରୀଡାର ୩୦୨ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ଥର ପାଇଁ ମହିଳା ବକ୍ସିଂ ସ୍ଥାନ ପାଇଲା । ଏହି ଅଲିମ୍ପିକ୍ସରେ ଭାଗ ନେଇଥିବା ପ୍ରତି ଦେଶର ଦଳରେ ଅନ୍ତତଃ ଜଣେ ମହିଳା ପ୍ରତିଯୋଗୀ ସ୍ଥାନ ପାଇଥିଲେ ।

ବେଜିଂ ଅଲିମ୍ପିକ୍ସ ଭଳି ଲଣ୍ଡନରେ ମଧ୍ୟ ଆମେରିକାର ସନ୍ତରଣକାରୀ ମାଇକେଲ ଫେଲ୍‌ପ୍ସ ଓ ଜାମାଇକା ଧାବକ ୟୁଜେନ ବୋଲ୍ଟ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଉଭୟ ୧୦୦ ଓ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଥିଲେ ବୋଲ୍ଟ । ପ୍ରଥମ ଧାବକ ଭାବେ ଲଗାତର ଦୁଇଟି ଅଲିମ୍ପିକ୍ସରେ ସ୍ପ୍ରିଂଟ୍‌ର ଦୁଇଟିଯାକ ଇଭେଂଟ୍ ଜିତି ଇତିହାସ ରଚିଥିଲେ ବୋଲ୍ଟ । ସନ୍ତରଣରେ ମାଇକେଲ ଫେଲ୍‌ପ୍ସ ୪ଟି ସ୍ୱର୍ଣ୍ଣ ସହ ମୋଟ ୬ଟି ପଦକ ଜିତି ନୂଆ ଅଲିମ୍ପିକ୍ସ ଇତିହାସ ରଚିଥିଲେ । ଅଲିମ୍ପିକ୍ସରେ ସର୍ବାଧିକ ୨୨ଟି ପଦକ ଜିତି ରେକର୍ଡ କରିଥିଲେ ଫେଲପ୍ସ ।

୨୦୧୬- ରିଓ ଡି ଜେନିରୋ ଅଲିମ୍ପିକ୍ସ

ଦକ୍ଷିଣ ଆମେରିକାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ । ବ୍ରାଜିଲର ବୃହତ୍ତମ ସହର ରିଓ ଡି ଜେନିରୋ ଥିଲା ଆୟୋଜକ । ଅଲିମ୍ପିକ୍ସ ପୂର୍ବରୁ ଅନେକ ସମସ୍ୟା ଦେଖାଯାଇଥିଲା । ଷ୍ଟାଡିୟମ ନିର୍ମାଣରେ ବିଳମ୍ବ ହୋଇଥିଲା । ନିର୍ଦ୍ଧାରିତ ଅଟକଳଠାରୁ ଖର୍ଚ୍ଚ ଅଧିକ ହୋଇଯାଇଥିଲା । ଏଥିସହିତ ଜିକା ଭାଇରସ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ଏସବୁ ସମସ୍ୟା ସତ୍ତ୍ୱେ ଠିକ୍ ସମୟରେ ରିଓ କ୍ରୀଡା ଆରମ୍ଭ ହୋଇଥିଲା । ରେକର୍ଡ ୨୦୫ ଦେଶରୁ ୧୧ ହଜାରରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ୪୨ଟି କ୍ରୀଡାରେ ପ୍ରତିଯୋଗିତା ହୋଇଥିଲା । ଗଲ୍ଫ ଓ ରଗବୀ ସେଭେନ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଇତିହାସରେ ଶରଣାର୍ଥୀଙ୍କ ଏକ ଟିମ୍ ଭାଗ ନେଇଥିଲା । ବିଭିନ୍ନ ଗୃହ ଯୁଦ୍ଧ ଗ୍ରସ୍ତ ଦେଶରୁ ୧୦ ଜଣ ଆଥଲେଟ ଏଥିରେ ଭାଗ ନେଇଥିଲେ । ରିଓ ଅଲିମ୍ପିକ୍ସରେ ମଧ୍ୟ ଚର୍ଚ୍ଚିତ ଆଥଲେଟ ଥିଲେ ମାଇକେଲ୍ ଫେଲ୍ପ୍ ଓ ୟୁଜେନ ବୋଲ୍ଟ । ଅବସରରୁ ଓହରି ଆସି ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଫେଲ୍ପସ । ନିଜର ରେକର୍ଡ ସଂଖ୍ୟକ ପଦକ ତାଲିକାରେ ଯୋଡିଥିଲେ ଆଉ ୬ଟି ପଦକ । ତାଙ୍କର ମୋଟ ଅଲିମ୍ପିକ୍ସ ପଦକ ସଂଖ୍ୟା ୨୮କୁ ବୃଦ୍ଧି ପାଇଥିଲା ( ମୋଟ ୨୩ଟି ସ୍ୱର୍ଣ୍ଣ ) । ଟ୍ରାକରେ ପୁଣି ଥରେ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ ୟୁଜେନ ବୋଲ୍ଟ । ଲଗାତର ତିନିଟି ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଜିତିବାରେ ପ୍ରଥମ ଧାବକ ହୋଇଥିଲେ ବୋଲ୍ଟ ।

Usain Bolt

ଫୁଟବଲରେ ନିଜର ପ୍ରଥମ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଥିଲା ବ୍ରାଜିଲ । ଫାଇନାଲରେ ଜର୍ମାନୀକୁ ହରାଇ ଫୁଟବଲ ସ୍ୱର୍ଣ୍ଣ ଜିତିଥିଲା ବ୍ରାଜିଲ୍ ।

OlympicsOlympics History