ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ କମିଶନ ଗଠନ କଲେ ମମତା | News Room Odisha

ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ କମିଶନ ଗଠନ କଲେ ମମତା

କୋଲକାତା: ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି। ତଦନ୍ତ କମିଶନ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ହୋଇଛି। ମମତାଙ୍କ ପୁତୁରା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନାମ ମଧ୍ୟ ସମ୍ଭାବ୍ୟ ଲୋକଙ୍କ ତାଲିକାରେ ଆସିଛି ଯାହାଙ୍କ ଫୋନ୍ ପେଗାସସ୍ ସ୍ପାଏୱେର୍ ଦ୍ବାରା ହ୍ୟାକ୍ ହୋଇଥାଇପାରେ।

ପେଗାସସ୍ ଗୁଇନ୍ଦାଗିରି ମାମଲାର ତଦନ୍ତ ପାଇଁ କମିଶନ ଗଠନ ପାଇଁ ନିଷ୍ପତ୍ତି ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ନିଆଯାଇଛି। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, ‘ଆମେ ଚାହୁଁଥିଲୁ ଯେ ପେଗାସସ୍ ମାମଲାର ଯାଞ୍ଚ୍ ପାଇଁ ଏକ କେନ୍ଦ୍ରୀୟ କମିଶନ ଗଠନ କରାଯାଉ, କିନ୍ତୁ କେନ୍ଦ୍ର ସରକାର ତୁନି ପଡ଼ି ବସିଛନ୍ତି, ତେଣୁ ଆମେ ଏହାର ତଦନ୍ତ ପାଇଁ ଏକ କମିଶନ ଗଠନ କରିଦେଇଛୁ।

ଦୁଇ ସଦସ୍ୟ ବିଶିଷ୍ଟ ଏହି ତଦନ୍ତ ପ୍ୟାନେଲର ଅଧ୍ୟକ୍ଷତା କୋଲକାତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ କରିବେ। ତାଙ୍କ ବ୍ୟତୀତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଭୀମରାଓ ଲୋକୁର ମଧ୍ୟ ଏହି କମିଟିରେ ସାମିଲ ହେବେ।