ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ, ଭଁଓ୍ବରୀ ଦେବୀ ହତ୍ୟା ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା | News Room Odisha

ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ, ଭଁଓ୍ବରୀ ଦେବୀ ହତ୍ୟା ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଠିକ୍ ସମୟରେ ମାମଲା ଶେଷ କରିବାରେ ସିବିଆଇର ଅକ୍ଷମତା ଯୋଗୁ ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ । ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ମୂଲ୍ୟ ଅଛି । ୨୦୧୧ର ବହୁ ଚର୍ଚ୍ଚିତ ଭଁୱରୀ ଦେବୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲାରେ ଅଭିଯୁକ୍ତ ପରସ ରାମ ବିଷ୍ଣୋଇଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଶାନ କୌଲ୍ ଏବଂ ହୃଷିକେଶ ରୟଙ୍କ ଖଣ୍ଡପୀଠ ସିବିଆଇକୁ ଭର୍ତ୍ସନା କରିଛନ୍ତି । ଖଣ୍ଡପୀଠ କହିଛନ୍ତି, “ଯଦି ସିବିଆଇ ବର୍ଷ ବର୍ଷ ଧରି ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁ ନାହିଁ, ତେବେ ଆମଠାରୁ ଆଉ କଣ ଆଶା କରାଯିବ ।

୨୦୧୧ର ବହୁ ଚର୍ଚ୍ଚିତ ଭଁୱରୀ ଦେବୀ ଅପହରଣ ଓ ହତ୍ୟା ମାମଲା ରାଜସ୍ଥାନ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା।ଭଁୱରୀ ଦେବୀ ରାଜସ୍ଥାନର ଯୋଧପୁର ଠାରୁ ୧୨୦ କିଲୋମିଟର ଦୂରରେ ଥିବା ଜଲିୱାଡା ଗାଁର ଏକ ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ସହାୟକ ନର୍ସ ଥିଲେ। ସେ ସେପ୍ଟେମ୍ବର ୧, ୨୦୧୧ରେ ହଠାତ୍ ନିଖୋଜ ହୋଇଯାଇଥିଲେ।

ତତ୍କାଳୀନ ରାଜସ୍ଥାନ ମନ୍ତ୍ରୀ ମହିପାଲ ମଦରେଣାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ତାଙ୍କର ଏକ ଭିଡିଓ ଫୁଟେଜ୍ କିଛି ନ୍ୟୁଜ ଚ୍ୟାନେଲ ଦ୍ୱାରା ପ୍ରସାରିତ ହେବା ପରେ ଭଁୱରୀ ଦେବୀ ନିଖୋଜ ହୋଇଯାଇଥିଲେ । ମାସକ ପରେ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଯୋଧପୁରର ଏକ କେନାଳରୁ ମିଳିଥିଲା।

କଂଗ୍ରେସ ନେତା ମହିପାଲ ମଦରେଣା ଏବଂ ମଲଖନ୍ ସିଂ ବିଷ୍ଣୋଇଙ୍କ ସମେତ ଅନ୍ୟ ୧୫ ଅଭିଯୁକ୍ତ ୨୦୧୧ ମସିହାରୁ ଜେଲରେ ଅଛନ୍ତି। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ଆଇନ ତଥା ଅପହରଣ ଓ ହତ୍ୟା ସମ୍ବନ୍ଧୀୟ ଅନ୍ୟାନ୍ୟ ଦଫାରେ ସେମାନଙ୍କ ବିରୋଧରେ ଏକ ସ୍ୱତନ୍ତ୍ର କୋର୍ଟରେ ବିଚାରଣା ଚାଲିଛି।