ହଠାତ୍ ମାଡ଼ି ଆସିଲା ବନ୍ୟା, ୨୩ ଯବାନ ନିଖୋଜ | News Room Odisha

ହଠାତ୍ ମାଡ଼ି ଆସିଲା ବନ୍ୟା, ୨୩ ଯବାନ ନିଖୋଜ

ଗ୍ୟାଙ୍ଗଟକ୍: ସିକ୍କିମରେ ତିସ୍ତା ନଦୀରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ୨୩ ଯବାନ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସେନା ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ‌ ।

ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ୧:୩୦ରେ ଲୋନାକ ହ୍ରଦ ଉପରମୁଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ୍ ଉପତ୍ୟକାର ତିସ୍ତା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ୍ୟାରେ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ସେନା ଶିବିର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେନାର ଅନେକ ଗାଡ଼ି ଭାସି ଯାଇଥିଲା ।

ଗୁଆହାଟିର ପ୍ରତିରକ୍ଷା ପିଆରଓ କହିଛନ୍ତି- ହଠାତ୍ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଚୁଙ୍ଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ାଯାଇଥିଲ। ଫଳରେ ତଳିଆ ଅଞ୍ଚଳ ବୁଡ଼ିଯାଇଥଲା | ଏଠାରେ ସିଙ୍ଗତାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ୪୧ଟି ସେନା ଗାଡି ବନ୍ୟା ପାଣିରେ ଭାସି ଯାଇଥିଲା ।

ସେନା ମୁତାବକ, ବାଦଲ ଫାଟିବା ଘଟଣା ପରେ ତିସ୍ତା ନଦୀର ଜଳ ସ୍ତର ହଠାତ୍ ୧୫ ରୁ ୨୦ ଫୁଟ ବଢି ଯାଇଥିଲା । ଏହା ପରେ ନଦୀ ନିକଟରେ ଥିବା ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଘରେ ମଧ୍ୟ ବନ୍ୟା ପାଣି ପଶିଥିଲା |