ସାଧାରଣ ନାଗରିକଙ୍କ ଗାଡ଼ି ଉପରେ ରୁଷର ରକେଟ୍ ମାଡ଼, ୨୩ ମୃତ | News Room Odisha

ସାଧାରଣ ନାଗରିକଙ୍କ ଗାଡ଼ି ଉପରେ ରୁଷର ରକେଟ୍ ମାଡ଼, ୨୩ ମୃତ

କିଭ୍: ରୁଷ୍ ସାଧାରଣ ନାଗରିକଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ବୋମା ମାଡ କରିଥିବା ୟୁକ୍ରେନ ଅଭିଯୋଗ କରିଛି। ୟୁକ୍ରେନ କହିଛି ଯେ ଦକ୍ଷିଣ ଜାପୋରିଜିଆ ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ୨୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଉ ୨୮ ଜଣ ଆହତ ହୋଇଥିବା ଜାପୋରିଜିଆର ଆଞ୍ଚଳିକ ଗଭର୍ଣ୍ଣର ଆଲେକଜାଣ୍ଡର ଷ୍ଟାରୁଖ କହିଛନ୍ତି। ପ୍ରାଣ ହରାଇଥିବା ସମସ୍ତେ ନାଗରିକ ଥିଲେ ଏବଂ ସ୍ଥାନୀୟ ଲୋକ ଥିଲେ ବୋଲି ସେ କହିଛନ୍ତି। ତେବେ ରୁଷ ଅଧୀନ ଏକ ଅଞ୍ଚଳର ଜଣେ ରୁଷ୍ ସମର୍ଥକ ସଂସଦୀୟ ଅଧିକାରୀ ଏହି ଘଟଣା ପାଇଁ ୟୁକ୍ରେନକୁ ଦାୟୀ କରିଛନ୍ତି । ସେ ସୋସିଆଲ ମିଡିଆରେ ୟୁକ୍ରେନ ସୈନ୍ୟବାହିନୀକୁ ଦାୟୀ କରି କହିଛନ୍ତି ଯେ ୟୁକ୍ରେନ ସରକାର ଏଭଳି କାର୍ଯ୍ୟ ଉଦ୍ଦେଶ୍ୟ ମୂଳକ ଭାବେ କରି ରୁଷକୁ ଦୋଷୀ ଭାବେ ଦର୍ଶାଇବାକୁ ଚାହୁଁଛି ।

ଜାପୋରିଜିଆର ରାଜ୍ୟପାଳ କହିଛନ୍ତି ଯେ ରୁଷୀୟ ସୈନ୍ୟମାନେ ଏହି ଅଞ୍ଚଳ ଛାଡ଼ିବାକୁ ଚେଷ୍ଟା କରୁଥିବା ସାଧାରଣ ନାଗରିକଙ୍କ ଗାଡି ଉପରେ ରକେଟ୍ ମାଡ଼ କରିଥିଲେ ।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ରୁଷ ସଂସଦ ଦାବି କରିଛି ​​ଯେ ଆଜି ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ ସହିତ ମିଶ୍ରଣ ନେଇ ମସ୍କୋ ଘୋଷଣା କରିବ।

ରୁଷ ୟୁକ୍ରେନର ଲୁହାନସ୍କ, ଡୋନେସ୍କ, ଖେରସନ ଏବଂ ଜାପୋରିଜିଆ ଅଞ୍ଚଳ ଦଖଲ କରିଥିଲା | ଏଠାରେ ମୁତୟନ ହୋଇଥିବା ରୁଷର ଅଧିକାରୀମାନେ କହିଥିଲେ ଯେ ଜନମତ ସଂଗ୍ରହ ବେଳେ ​​ଏହି ଅଞ୍ଚଳର ବାସିନ୍ଦା ରୁଷ ସହ ମିଶ୍ରଣକୁ ସମର୍ଥନ କରିଥିଲେ।