ସଂସଦରେ ହଙ୍ଗାମା ଯୋଗୁଁ ୧୩୩ କୋଟି କ୍ଷତି, ୧୦୭ ଘଣ୍ଟାରୁ କେବଳ ୧୮ ଘଣ୍ଟା ଚାଲିଛି ଗୃହକାର୍ଯ୍ୟ | News Room Odisha

ସଂସଦରେ ହଙ୍ଗାମା ଯୋଗୁଁ ୧୩୩ କୋଟି କ୍ଷତି, ୧୦୭ ଘଣ୍ଟାରୁ କେବଳ ୧୮ ଘଣ୍ଟା ଚାଲିଛି ଗୃହକାର୍ଯ୍ୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଶେଷ ହୋଇଛି । ତେବେ ପେଗାସସ୍ ଗୁଇନ୍ଦାଗିରି କେଳେଙ୍କେରୀକୁ ନେଇ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଥମିବାର ନାଁ ନେଉନାହିଁ । ଏଥିଯୋଗୁଁ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସଂସଦର ମୌସୁମୀ ଅଧିବେଶନର ଏପର୍ଯ୍ୟନ୍ତ ୧୦୭ ଘଣ୍ଟା ମଧ୍ୟରୁ କେବଳ ୧୮ ଘଣ୍ଟା ହିଁ ଚାଲିଛି ଗୃହକାର୍ଯ୍ୟ । ସଂସଦରେ ଅଚଳାବସ୍ଥା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୩୩ କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡିଛି ।

ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇଥିଲା । ମୌସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍ ଠାରୁ କୃଷି ଆଇନ ଏବଂ ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଏଥିପାଇଁ ଉଭୟ ଗୃହର ବୈଠକ ବାଧାପ୍ରାପ୍ତ ହୋଇଛି । ହଟ୍ଟଗୋଳ ଯୋଗୁ ମୌସୁମୀ ଅଧିବେଶନର ୮୯ ଘଣ୍ଟା ନଷ୍ଟ ହୋଇଛି । ମୌସୁମୀ ଅଧିବେଶନ ଅଗଷ୍ଟ ୨୩ରେ ଶେଷ ହେବାର ଅଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ବିରୋଧୀଙ୍କ ବିଶୃଙ୍ଖଳା ପାଇଁ ରାଜ୍ୟସଭାରେ ୨୧ ପ୍ରତିଶତ ଏବଂ ଲୋକସଭାରେ କେବଳ ୧୩ ପ୍ରତିଶତ କାର୍ଯ୍ୟ ସମ୍ଭବ ହୋଇଛି । ଧାର୍ଯ୍ୟ ୫୭ ଘଣ୍ଟାରୁ ଲୋକସଭା ବୈଠକ କେବଳ ୭ ଘଣ୍ଟା ଚାଲିପାରିଛି । ରାଜ୍ୟସଭାରେ ମଧ୍ୟ ସମାନ ଅବସ୍ଥା । ଧାର୍ଯ୍ୟ ୫୩ ଘଣ୍ଟା ମଧ୍ୟରୁ ରାଜ୍ୟସଭା ବୈଠକ ଏଯାବତ କେବଳ ୧୧ ଘଣ୍ଟା ଚାଲିପାରିଛି ।

ପେଗାସସ୍ କେଳେଙ୍କେରୀକୁ ନେଇ ହଟ୍ଟଗୋଳ ଯୋଗୁଁ ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହରେ ସଂସଦର କାର୍ଯ୍ୟକ୍ଷମତାରେ ୧୩.୭୦% ହ୍ରାସ ଘଟିଛି । ପ୍ରଥମ ସପ୍ତାହରେ ଏହା ୩୨.୨୦% ଥିଲା । ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଗୁଇନ୍ଦାଗିରି ମାମଲାରେ ଆଲୋଚନା ପାଇଁ ସରକାର ରାଜି ହେଉନାହାନ୍ତି । ସରକାର ଯୋଉ ପର୍ଯ୍ୟନ୍ତ ଏନେଇ ଆଲୋଚନା କରିବାକୁ ରାଜି ନ ହୁଅନ୍ତି, ସେ ପର୍ଯ୍ୟନ୍ତ ଆମର ବିରୋଧ ଜାରି ରହିବ । ଶୁକ୍ରବାର ଲୋକସଭାରେ ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଚନା ଦାବିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏହା ଏକ ପ୍ରସଙ୍ଗ ହିଁ ନୁହେଁ ବୋଲି ସେ କହିଥିଲେ ।