କେରଳ ପରେ ମହାରାଷ୍ଟ୍ରରେ ଜିକା ଭାଇରସ୍ ମାମଲା ଚିହ୍ନଟ | News Room Odisha

କେରଳ ପରେ ମହାରାଷ୍ଟ୍ରରେ ଜିକା ଭାଇରସ୍ ମାମଲା ଚିହ୍ନଟ

ମୁମ୍ବାଇ: କେରଳରେ ଦ୍ରୁତ ଗତିରେ ବ୍ୟାପିବା ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି । ପୁଣେର ପୁରନ୍ଦର ଅଞ୍ଚଳର ଜଣେ ୫୦ ବର୍ଷ ବୟସ୍କା ମହିଳା ଜିକା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କର ଚିକୁନଗୁନିଆ ପରୀକ୍ଷା ମଧ୍ୟ ପଜିଟିଭ୍ ହୋଇଛି। ସେପଟେ କେରଳରେ ଜିକାର ଆଉ ୨ଟି ନୂଆ ମାମଲା ମଧ୍ୟ ରିପୋର୍ଟ ହୋଇଛି। ଏହା ପରେ ଏହି ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ପୂର୍ବରୁ ଚଳିତ ବର୍ଷ କେବଳ କେରଳରେ ଜିକା ମାମଲା ରିପୋର୍ଟ ହୋଇଥିଲା।

ମହାରାଷ୍ଟ୍ରର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମହିଳା ପୁଣେର ପୁରନ୍ଦର ତହସିଲର ବେଲସର ଗାଁର ବାସିନ୍ଦା। ଜୁଲାଇ ଆରମ୍ଭରେ ତାଙ୍କର ଜ୍ୱର ହୋଇଥିଲା। ଏହାଛଡ଼ା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି) କୁ ଆଉ ୪ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ତିନି ଜଣଙ୍କର ଚିକୁନଗୁନିଆ ରିପୋର୍ଟ ପଜିଟିଭ୍ ହୋଇଛି | ଏହା ପରେ ଏନ୍ଆଇଭିର ଏକ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ବେଲସର ଗାଁ ଯାଇଛନ୍ତି |