ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଅଭିଳାଷ | News Room Odisha

ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଅଭିଳାଷ

ରାଜ୍ୟର ଦ୍ବିତୀୟ ସର୍ବପୁରାତନ ମହାବିଦ୍ୟାଳୟର ମାନ୍ୟତା ବଦଳିଗଲା। ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାବାସୀଙ୍କ ହୃଦୟର ଅଭିଳାଷକୁ ହୃଦୟଙ୍ଗମ କରି ପୂର୍ବରୁ କରିଥିବା ଘୋଷଣା ଅଗଷ୍ଟ ପହିଲାରୁ ବାସ୍ତବ ରୂପ ନେଇଛି। ନୂତନ ପଥରେ ଯାତ୍ରାରମ୍ଭ କରିଛି ପୁରାତନ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ତଥା ନୂଆ କରି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ। କେବଳ ଅଧ୍ୟୟନ ନୁହେଁ, ଏଣିକି ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ସାଙ୍ଗକୁ ଗବେଷଣାକୁ ଗୁରୁତ୍ବ ଦିଆଯିବ। କିଭଳି ଏଠାରୁ ଅଧିକରୁ ଅଧିକ ଗବେଷକ ସୃଷ୍ଟି ହେବେ ତାହା ଉପରେ ଫୋକସ୍ ରହିବ। କେବଳ ବ୍ରହ୍ମପୁର କି ଗଞ୍ଜାମ ଜିଲ୍ଲା ନୁହେଁ, ସମଗ୍ର ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାଲାଭ ଦୃଷ୍ଟିରୁ ବେଶ୍ ଉପକୃତ ହେବେ। ସେଥିପାଇଁ ତ ଉଦ୍‌ଘାଟନୀ ସଭାରେ ଅତିଥିଗଣ ଏଇ ମହତ୍ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ସ୍ଥାପନ କରିଥିଲେ।

ପ୍ରାୟ ଦେଢ଼ଶହ ବର୍ଷ ପ୍ରାଚୀନ ଏଇ ଶିକ୍ଷାନୁଷ୍ଠାନ। ଇଏ ଜ୍ଞାନର ସେଇ ପବିତ୍ର ସ୍ଥାନ ଯେଉଁଠିକାର ଅନେକ ଛାତ୍ର ପରବର୍ତ୍ତୀ ସମୟରେ ଦେଶ ଓ ରାଜ୍ୟର ଶାସନ, ବିଜ୍ଞାନ, ନ୍ୟାୟ ବ୍ୟବସ୍ଥାର ମଙ୍ଗ ଧରିଥିଲେ। ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରି କୁହନ୍ତୁ ବା ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ବିଚାରପତି ବି.ଜଗନ୍ନାଥ ଦାସ ଅଥବା ବିଶିଷ୍ଟ ବୈଜ୍ଞାନିକ କୋଟା ହରିନାରାୟଣନ୍ ସବୁ ଏକଦା ଥିଲେ ଏଇ ଶିକ୍ଷାନୁଷ୍ଠାନର ଛାତ୍ର। ଏ ତାଲିକା ତ ବେଶ୍ ଲମ୍ବା ଯେଉଁଥିରେ ସହସ୍ରାଧିକ ଗୁଣୀ ଜ୍ଞାନୀ ବିଜ୍ଞ ବ୍ୟକ୍ତି ସାମିଲ ଅଛନ୍ତି। ହେଲେ ଏଇ ଶିକ୍ଷାନୁଷ୍ଠାନକୁ ନେଇ ସ୍ଥାନୀୟ ବାସିନ୍ଦା, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ କିଛି ବର୍ଷ ତଳେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାର ବାସ୍ତବ ରୂପାୟନ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କରି ନିର୍ଦ୍ଦେଶରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆରମ୍ଭ କରିଛି ତାର ନୂଆ ଯାତ୍ରା ।

ଉଦ୍‌ଘାଟନୀ ସଭାରେ ଅତିଥି ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଯୋସେଫ୍ ଚକ୍ରପାଣି, ଏକକ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ କୁଳସଚିବ ପ୍ରଫେସର ଉତ୍ତମା ଜେନା। ଉଲ୍ଲେଖନୀୟ କଥା ଥିଲା ଯେ- ସାଂସଦ, ବିଧାୟକ ଓ ଉଭୟ କୁଳପତି ଥିଲେ ଏଠିକାର ପୁରାତନ ଛାତ୍ର। କିଭଳି ଆହ୍ବାନକୁ ସମ୍ମୁଖୀନ କରି ଗୁଣାତ୍ମକ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଆଗେଇ ଯିବ, ଗବେଷଣା କ୍ଷେତ୍ରରେ କିଭଳି ସୁନାମ ଅର୍ଜନ କରିବ ତାହା ଉପରେ ଗୁରୁତ୍ବାରୋପ କରି ଏହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ଅତିଥିବୃନ୍ଦ। ବିଶେଷ କରି ନୂଆ କୁଳପତି ପ୍ରଫେସର ମହାନ୍ତି ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ଓ ଜୈବ ବିବିଧତାକୁ ଆଧାର କରି ଏଭଳି ଗବେଷଣା କରିବା ଯାହା ଏହି ଅଞ୍ଚଳର ଆର୍ଥିକ, ସାମାଜିକ ପ୍ରଗତିରେ ସହାୟକ ହେବ ବୋଲି ଆହ୍ବାନ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ଗଞ୍ଜାମ ତଥା ବ୍ରହ୍ମପୁର ସହର ପାଇଥିଲା ତାର ଦ୍ବିତୀୟ ବିଶ୍ବବିଦ୍ୟାଳୟ। ଖଲ୍ଲିକୋଟ କଲେଜ ପରିସରରେ ହିଁ ଆରମ୍ଭ ହୋଇଥିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ପରେ ଏହା ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ ହୋଇଥିଲେ ହେଁ ଏହି ପ୍ରୟାସ ସଫଳ ହୋଇପାରି ନଥିଲା। ଏଣୁ ତାହାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଲୀନ କରାଇ ଦିଆଯିବା ସହ ଗର୍ବ ଓ ଗୌରବମୟ ଇତିହାସରେ ସମୃଦ୍ଧ ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ କରିଛନ୍ତି ରାଜ୍ୟ ସରକାର। ୧୮ଟି ଯୁକ୍ତ ତିନି, ୧୭ଟି ପିଜି ପାଠ୍ୟକ୍ରମ ସାଙ୍ଗକୁ ସେଲ୍ଫ ଫାଇନାନ୍ସ କୋର୍ସ ଏବଂ ଇଗ୍ନୋ, ଓଡ଼ିଶା ରାଜ୍ୟ ଉନ୍ମୁକ୍ତ ବିଶ୍ବବିଦ୍ୟାଳୟ କେନ୍ଦ୍ର ଥିବା ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଲାଭ ଓ ଗବେଷଣାର ପଥକୁ ଅଧିକ ସୁଗମ କରିବ। ଏହା ଏବେ କେବଳ ଗଞ୍ଜାମ ନୁହେଁ, ସମଗ୍ର ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷାର ପ୍ରଦୀପକୁ ଅଧିକ ତେଜୀୟାନ କରିବ ବୋଲି ନିଃସନ୍ଦେହରେ କୁହାଯାଇ ପାରେ।

Khalikote Autonomous CollegeOdisha GovernmentUnitary University Status for Khalikote Autonomous College