ୟୁଟ୍ୟୁବରଙ୍କ ବିରୋଧରେ ୫୦୦ କୋଟିର ମାନହାନି ମକଦ୍ଦମା କଲେ ଅକ୍ଷୟ | News Room Odisha

ୟୁଟ୍ୟୁବରଙ୍କ ବିରୋଧରେ ୫୦୦ କୋଟିର ମାନହାନି ମକଦ୍ଦମା କଲେ ଅକ୍ଷୟ

ମୁମ୍ବାଇ – ବଲିଉଡ୍ ଅଭିନେତା ଅକ୍ଷୟ କୁମାର ବିହାରର ଜଣେ ୟ୍ୟୁଟ୍ୟୁବରଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ବିହାରର ରଶିଦ ସିଦ୍ଦିକି ନିଜ ୟୁଟ୍ୟୁବ ଚ୍ୟାନେଲ ଏଫ୍‌ଏଫ୍ ନ୍ୟୁଜ୍ ଜରିଆରେ ତାଙ୍କ ବିରୋଧରେ ଅନେକ ମିଥ୍ୟା ଓ ଭିତ୍ତିହୀନ ଭିଡିଓ ପୋଷ୍ଟ କରିଛନ୍ତି ବୋଲି ଅକ୍ଷୟ ଅଭିଯୋଗ କରିଛନ୍ତି । ସିଦ୍ଦିକି ଏହିସବୁ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ହଟାଇବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଅକ୍ଷୟ ଦାବି କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଅନ୍ୟତମ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କୁ କାନାଡା ପଳାଇବାରେ ଅକ୍ଷୟ ସାହାଯ୍ୟ କରିଛନ୍ତି । ଏହି ମାମଲାରେ ଅକ୍ଷୟ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଓ ମୁମ୍ବାଇ ପୋଲିସ୍ କମିଶନରଙ୍କ ସହ ଗୁପ୍ତ ବୈଠକ କରୁଛନ୍ତି ବୋଲି ସିଦ୍ଦିକି ତାଙ୍କ ୟୁଟ୍ୟୁବ୍ ଭିଡିଓରେ ଅଭିଯୋଗ କରିଥିଲେ ।
ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାର ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାର ଡ୍ରଗ୍ସ ଲିଙ୍କରେ ଏନସିବି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ଗିରଫ କରିଥିଲା । ପରେ ସେ ଜାମିନରେ ମୁକୁଳିଥିଲେ । ସୁଶାନ୍ତ ମୃତ୍ୟୁ ମାମଲାରେ ରିୟାଙ୍କ ସମେତ ଅନ୍ୟ କିଛି ବଲିଉଡ୍ ସେଲିବ୍ରିଟିଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି । ସିବିଆଇ ଏହାର ତଦନ୍ତ ଜାରି ରଖିଛି ।