ପେଗାସସ୍ ମାମଲା: ଗଣମାଧ୍ୟମ ରିପୋର୍ଟ ସତ ହୋଇଥିଲେ ସାଂଘାତିକ କହିଲେ ସୁପ୍ରିମକୋର୍ଟ | News Room Odisha

ପେଗାସସ୍ ମାମଲା: ଗଣମାଧ୍ୟମ ରିପୋର୍ଟ ସତ ହୋଇଥିଲେ ସାଂଘାତିକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ନେଇ ଦାୟର ହୋଇଥିବା ପିଟିସନର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା କହିଛନ୍ତି ଯେ, ଯଦି ପେଗାସସ୍ ଗୁଇନ୍ଦାଗିରି ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସତ ହୋଇଥାଏ, ତେବେ ଏହା ଏକ ସାଂଘାତିକ ଅଭିଯୋଗ । ଏହାଛଡ଼ା ସେ ସବୁ ଆବେଦନକାରୀଙ୍କୁ ନିଜ ନିଜ ପିଟିସନର ଏକ ନକଲ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବ ।

ପେଗାସସ୍ ଗୁଇନ୍ଦାଗିରି ଉପରେ ସ୍ୱତନ୍ତ୍ର ତଦନ୍ତ ନେଇ ହୋଇଥିବା ଏକାଧିକ ପିଟିସନର ଶୁଣାଣି ବେଳେ ପ୍ରଧାନ ବିଚାରପତି ରମନ୍ନା କହିଥିଲେ ଯେ, ଏ ସମ୍ପର୍କିତ ରିପୋର୍ଟ ୨୦୧୯ରେ ସାମ୍ନାକୁ ଆସିଥିଲା । କିନ୍ତୁ ସେତେବେଳେ ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ କରିପା ପାଇଁ କେହି ଉଦ୍ୟମ କରିଥିଲେ ନା ନାହିଁ ଜଣାନାହିଁ । ମୁଁ ପ୍ରତ୍ୟକ ପିଟିସନର ତଥ୍ୟକୁ ଅନୁଧ୍ୟାନ କରେ ନାହିଁ । କିଛି ଲୋକ ଦାବି କରିଛନ୍ତି ଯେ ସେମାନଙ୍କର ଫୋନ୍ ଟ୍ୟାପିଂ କରାଯାଇଛି । ଏଥିପାଇଁ ଟେଲିଗ୍ରାଫ୍ ଆଇନ ଅଛି ।
ପେଗାସସ୍ ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବିରେ ଯେଉଁମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ ଏବଂ ଶଶି କୁମାର ମଧ୍ୟ ଥିଲେ । ସେମାନଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କପିଲ ସିବଲ୍ ଯୁକ୍ତି କରିଥିଲେ ଯେ ପେଗାସସ ଏକ ବିପଦଜନକ ଗୁଇନ୍ଦା ସ୍ପାଏୱେର ଯାହା ଆମ ଅଜ୍ଞାତରେ ଆମ ଜୀବନରେ ହସ୍ତକ୍ଷେପ କରିଥାଏ । ଏହା ଆମ ଗୋପନୀୟତା, ସମ୍ମାନ ଏବଂ ଆମ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ । ସିବଲ କହିଥିଲେ ଯେ ପେଗାସସ୍ ସ୍ପାଏୱେର କେବଳ ସରକାରୀ ସଂସ୍ଥାଙ୍କୁ ବିକ୍ରି କରାଯାଏ । ସାମ୍ବାଦିକ, ସାମ୍ବିଧାନିକ ଅନୁଷ୍ଠାନ, ନ୍ୟାୟପାଳିକାର ଅଧିକାରୀ ଏବଂ ଶିକ୍ଷାବିତ ଏହି ଗୁଇନ୍ଦା ସଫ୍ଟୱେରର ଟାର୍ଗେଟ୍ ଥିଲେ । ଏହି ସ୍ପାଏୱେରର ବ୍ୟବହାର କାହା ଇଙ୍ଗିତରେ ହୋଇଥିଲା ଏବଂ କିଏ ଏହାକୁ କିଣିଥିଲା ତାର ଉତ୍ତର ସରକାରଙ୍କୁ ଦେବାକୁ ପଡ଼ିବ ବୋଲି ସିବଲ କହିଥିଲେ । ଭାରତୀୟ ନାଗରିକ ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଗୁଇନ୍ଦାଗିରି ହୋଇଥିଲେ ମଧ୍ୟ ସରକାର ଏନେଇ କାହିଁକି ଏଫ୍‌ଆଇଆର୍ ରୁଜୁ କରିନଥିଲେ ବୋଲି ସିବଲ ପ୍ରଶ୍ନ କରିବା ସହ ଏହି ମାମଲାରେ ସରକାରଙ୍କୁ ନୋଟିସ୍ ଜାରି କରାଯାଉ ବୋଲି ସେ ଦାବି କରିଥିଲେ ।