ଚାରିଆଡୁ ବିରୋଧ ପରେ ବିବାଦୀୟ ପୋଲିସ୍ ଆଇନ ସଂଶୋଧନ ଅଧ୍ୟାଦେଶ ପ୍ରତ୍ୟାହାର କଲେ କେରଳ ସରକାର | News Room Odisha

ଚାରିଆଡୁ ବିରୋଧ ପରେ ବିବାଦୀୟ ପୋଲିସ୍ ଆଇନ ସଂଶୋଧନ ଅଧ୍ୟାଦେଶ ପ୍ରତ୍ୟାହାର କଲେ କେରଳ ସରକାର

ଥିରୁଭନନ୍ତପୁରମ – ଚାରିଆଡୁ ପ୍ରବଳ ବିରୋଧ ଓ ସମାଲୋଚନା ପରେ କେରଳର ସିପିଆଇ (ଏମ୍‌) ସରକାର ବିବାଦୀୟ କେରଳ ପୋଲିସ୍ ସଂଶୋଧନ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଧ୍ୟାଦେଶ ଗଣମାଧ୍ୟମର କଣ୍ଟରୋଧ କରିବାକୁ ଏକ ହୀନ ଉଦ୍ୟମ ବୋଲି ଅଭିଯୋଗ ହୋଇଥିଲା । ଏହି ଅଧ୍ୟାଦେଶକୁ ସ୍ଥଗିତ ରଖିବା ପରେ ସୋମବାର କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ କହିଛନ୍ତି ଯେ, ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ଏହି ଅଧ୍ୟାଦେଶ ଅଣାଯାଇଥିଲା । ବିଭିନ୍ନ ସଂଗଠନ ତରଫରୁ ବିରୋଧ ପରେ ଏହାକୁ ବର୍ତ୍ତମାନ ଲାଗୁ ନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଅଧ୍ୟାଦେଶ ଉପରେ ବିଧାନସଭାରେ ଆଲୋଚନା ହେବ । ସବୁ ପକ୍ଷର ମତାମତ ଶୁଣିବା ପରେ ଏ ବାବଦରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଜୟନ କହିଛନ୍ତି । କେରଳ ପୋଲିସ୍ ଆଇନ ସଂଶୋଧନ ଅଧ୍ୟାଦେଶ ନେଇ ସିପିଆଇ (ଏମ୍‌) ମହାସଚିବ ସୀତାରାମ ୟେଚୁରୀ ମଧ୍ୟ ଆପତ୍ତି ଉଠାଇଥିଲେ ।

କେରଳରେ ସାଇବର ଅପରାଧକୁ ରୋକିବା ପାଇଁ ରାଜ୍ୟ ସରକାର ୧୧୮-ଏ କେରଳ ପୋଲିସ୍ ଆଇନରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିଥିଲେ । ନିକଟରେ ଏହି ଅଧ୍ୟାଦେଶକୁ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମଧ୍ୟ ମଞ୍ଜୁରୀ ଦେଇଥିଲେ । ତେବେ ଏହି ଅଧ୍ୟାଦେଶକୁ ଚାରିଆଡୁ ପ୍ରବଳ ବିରୋଧ ହୋଇଥିଲା । ଏନେଇ କେରଳ ହାଇକୋର୍ଟରେ ବି ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହି ଅଧ୍ୟାଦେଶ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଭୟଭୀତ କିମ୍ବା ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଆପତ୍ତିଜନକ ପୋଷ୍ଟ କରେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହେବ କିମ୍ବା ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।