ବରଗଡ଼ ମୁଖ୍ୟ କେନାଲରେ ଜଳବିଦ୍ୟୁତ୍ ପ୍ରକଳ୍ପ କାମ ତ୍ବରାନ୍ବିତ , ୯ ମେଗାୱାଟ୍ ବିଜୁଳି ଉତ୍ପାଦନ ଲକ୍ଷ୍ୟ | News Room Odisha

ବରଗଡ଼ ମୁଖ୍ୟ କେନାଲରେ ଜଳବିଦ୍ୟୁତ୍ ପ୍ରକଳ୍ପ କାମ ତ୍ବରାନ୍ବିତ , ୯ ମେଗାୱାଟ୍ ବିଜୁଳି ଉତ୍ପାଦନ ଲକ୍ଷ୍ୟ

ସମ୍ବଲପୁର / ବୁର୍ଲା: ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ବରଗଡ ମୁଖ୍ୟ କେନାଲର ପ୍ରସ୍ତାବିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାମ ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ବରାନ୍ବିତ ହୋଇଛି । କେନାଲ ଭିତରେ ହେବାକୁ ଥିବା ଏହି ପ୍ରକଳ୍ପରୁ ୯ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ଥିବା ବେଳେ ବରଗଡ ଜିଲ୍ଲାର ଲୋ ଭୋଲଟେଜ୍‌ ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି ।

ଶକ୍ତିସଙ୍କଟକୁ ଏଡାଇବା ପାଇଁ ରାଜ୍ୟ ସରକାର ୩ ବର୍ଷ ତଳେ ବରଗଡ ମୁଖ୍ୟ କେନାଲର ପରୀକ୍ଷାମୂଳକ ଭାବେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ । ଏଥିପାଇଁ ଦକ୍ଷିଣ ଭାରତର ଖ୍ୟାତନାମା ନାଗାର୍ଜୁନ୍ ହାଇଡ୍ରୋ ପାୱାର କଂପାନି ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିଥିଲେ । ତେବେ , ଏହି କଂପାନି ପ୍ରାୟ ବର୍ଷକ ତଳେ ତାର ନିର୍ମାଣ କାମ ଆରମ୍ଭ କରିଥିଲା । ହେଲେ ଲଡାଉନ୍ ଯୋଗୁଁ କାମ ବାଧାପ୍ରାପ୍ତ ହୋଇଥିଲା । ଇତିମଧ୍ୟରେ ପୁଣି ଥରେ ନିର୍ମାଣ କାମ ତ୍ବରାନ୍ବିତ ହୋଇଛି ।

ପ୍ରସ୍ତାବିତ ଯୋଜନା ଅନୁଯାୟୀ , କେନାଲ ମଝିରେ ହେଡ ପଏଣ୍ଟରୁ ୫ ଶହ ମିଟର ଦୂରରେ ଡାଇର ଉଚ୍ଚତାସମ ଏକ କାନ୍ଥ ନିର୍ମାଣ କରାଯାଇ ପାଣି ଗଚ୍ଛିତ ରଖାଯିବ । ଏଥିପାଇଁ କେନାଲର ଉଭୟ ପଟରେ ହିଡକୁ ମଧ୍ୟ ଉଚ୍ଚ କରଯିବ । ଆଉ କେନାଲର ମୋଟ୍ ୮ଟି ଗେଟ୍ ମଧ୍ୟରୁ ୪ଟି ଗେରେ ଟର୍ବାଇନ୍ ଖଞ୍ଜାଯାଇ ବିଦ୍ୟୁତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନାଲ ଭିତରେ ଟର୍ବାଇନ୍ ପ୍ରତିଷ୍ଠା ପାଇଁ ଭିଭି କାମ ଜୋରସୋରରେ ଆଗେଇ ଚାଲିଛି । ତେବେ , ଏଥିରୁ ଉତ୍ପାଦନ ହେବାକୁ ଥିବା ୯ ମେଗାୱାଟ ବିଦ୍ୟୁତ୍‌କୁ ବରଗଡର ଟାଙ୍ଗରପାଲି ଗ୍ରୀଡକୁ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।