ଅର୍ଣ୍ଣବଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିବା ବିଧାୟକଙ୍କ ଘରେ ଇଡ଼ିର ଚଢାଉ | News Room Odisha

ଅର୍ଣ୍ଣବଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିବା ବିଧାୟକଙ୍କ ଘରେ ଇଡ଼ିର ଚଢାଉ

ମୁମ୍ବାଇ – ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଥାନେ ଓ ମୁମ୍ବାଇ ସ୍ଥିତ ଘର ଓ କାର୍ଯ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଚଢାଉ ହୋଇଛି । ମନି ଲଣ୍ଡ୍ରିଂ ମାମଲାରେ ଏହି ଚଢାଉ ହୋଇଥିବା କୁହାଯାଇଛି । ଥାନେରୁ ତିନିଥର ବିଧାୟକ ହୋଇଥିବା ସରନାଏକ ନିକଟରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ କିଛି ମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପାଇଁ ଅର୍ଣ୍ଣବଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଇଥିଲେ ବିଧାୟକ ସରନାଏକ । ଏହାଛଡ଼ା ବହୁ ଚର୍ଚ୍ଚିତ ଅନଭୟ ନାଏକ ଆତ୍ମହତ୍ୟା ମାମଲାର ପୁଣିଥରେ ତଦନ୍ତ ପାଇଁ ସେ ଦାବି କରିଥିଲେ । ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ରାୟଗଡ଼ ପୋଲିସ୍ ଅର୍ଣ୍ଣବଙ୍କୁ ଗିରଫ କରିଥିଲା । ପରେ ସେ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ । ଚଢାଉ ପରେ ଇଡ଼ି ସରନାଏକଙ୍କ ପୁଅକୁ ଅଟକ ରଖିଥିବା ଜଣାପଡିଛି । ସରନାଏକଙ୍କ ବିରୋଧରେ ଇଡ଼ିର ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଶାସକ ମହାରାଷ୍ଟ୍ର ବିକାଶ ଅଗାଡି ବିଜେପି ଓ କେନ୍ଦ୍ରକୁ ସମାଲୋଚନା କରିଛି । କେନ୍ଦ୍ରର ଏହା ଏକ ଆକ୍ରୋଶମୂଳକ ପଦକ୍ଷେପ  ବୋଲି ଏନସିପି ନେତା ଶରଦ ପାୱାର କହିଛନ୍ତି ।