ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନରେ‌ ବିସ୍ଫୋରଣ, ୨୫ ମୃତ | News Room Odisha

ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନରେ‌ ବିସ୍ଫୋରଣ, ୨୫ ମୃତ

ଇସଲାମାବାଦ: ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନର ବଲୁଚିସ୍ତାନର ପିସିନ୍ ସହରରେ ବିସ୍ଫୋରଣରେ ଅତିକମରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ବାଧୀନ ପ୍ରାର୍ଥୀ ଅସଫନ୍ଦ ୟାର ଖାନ କାକଡଙ୍କ କାର୍ଯ୍ୟାଳୟ ବାହାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ କାକଡ ଅଫିସରେ ନଥିଲେ।

ବାଲୁଚିସ୍ତାନର ଭାରପ୍ରାପ୍ତ ସୂଚନା ମନ୍ତ୍ରୀ ଜନ ଅଚକଜାଇ କହିଛନ୍ତି, ପ୍ରାଥମିକ ତଦନ୍ତରୁ ବିସ୍ଫୋରକ ସାମଗ୍ରୀ ଏକ ବାଇକରେ ରଖାଯାଇଥିଲା ବୋଲି ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।

ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସହ ସମସ୍ତ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ନିର୍ବାଚନ କମିଶନ ଏହି ବିସ୍ଫୋରଣ ସମ୍ପର୍କରେ ବଲୁଚିସ୍ତାନର ମୁଖ୍ୟ ସଚିବ ଏବଂ ପୋଲିସଠାରୁ ରିପୋର୍ଟ ମାଗିଛନ୍ତି।