ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ୨୫୦ ମୃତ | News Room Odisha

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ୨୫୦ ମୃତ

କାବୁଲ: ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଆଫଗାନିସ୍ତାନ । ଏଥିରେ ଅତି କମରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ଆକଳନ କରାଯାଇଛି । ଏହି ଭୂକମ୍ପରେ ପାକ୍ଟିକା ପ୍ରଦେଶର ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଇଛି ।

ଭୂକମ୍ପରେ ଏହି ପ୍ରଦେଶରେ ବହୁ ସଂଖ୍ୟକ ଘର ଭାଙ୍ଗି ଯାଇଛି | ଜଣେ ସ୍ଥାନୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ ଛୁଇଁଛି । ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ସେ କହିଛନ୍ତି ଏହି ଭୂକମ୍ପରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରବିନ୍ଦୁ ଦକ୍ଷିଣ-ପୂର୍ବ ସହର ଖୋଷ୍ଟଠାରୁ ୪୪ କିଲୋମିଟର ଦୂରରେ ଥିଲା । ଆଫଗାନିସ୍ତାନ, ପାକିସ୍ଥାନ ଏବଂ ଭାରତରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ଯ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।