ବୁଖାରେଷ୍ଟ ଦେଇ ୟୁକ୍ରେନରୁ ଆଉ ୨୫୦ ଭାରତୀୟ ସ୍ବଦେଶ ଫେରିଲେ | News Room Odisha

ବୁଖାରେଷ୍ଟ ଦେଇ ୟୁକ୍ରେନରୁ ଆଉ ୨୫୦ ଭାରତୀୟ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ : ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଥାନାନ୍ତର ଜାରି ରହିଛି ‌। ଆଜି ଆଉ ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦ୍ବିତୀୟ ଏୟାର ଇଣ୍ଡିଆ ବିମାନ ବୁଖାରେଷ୍ଟରୁ ଦିଲ୍ଲୀରେ ପହଞ୍ଚିଛି। ଏହି ବିମାନଟି ଭୋର୍ ପ୍ରାୟ ୩ ଟାରେ ଦିଲ୍ଲୀରେ ପହଞ୍ଚିଥିଲା। ଏହାପୂର୍ବରୁ ଏୟାର ଇଣ୍ଡିଆର ପ୍ରଥମ ବିମାନ ୨୧୯ ଭାରତୀୟଙ୍କୁ ନେଇ ଶନିବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା। ସେହି ବିମାନଟି ମଧ୍ୟ ରୋମାନିଆର ବୁଖାରେଷ୍ଟରୁ ଭାରତୀୟ ନାଗରିକଙ୍କୁ ଆଣିଥିଲା ​​| ଆଜି ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରୁ ଆଉ ଏକ ବିମାନ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ବିମାନ ବନ୍ଦରରେ ୟୁକ୍ରେନରୁ ସ୍ଥାନାନ୍ତରିତ ଭାରତୀୟମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ସ୍ୱାଗତ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ନିରାପଦରେ ଭାରତକୁ ଅଣାଯିବା ନିଶ୍ଚିତ କରାଯାଉଛି।

ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରୁ ତୃତୀୟ ବିମାନ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଏହି ବିମାନରେ ୨୪୦ ଜଣ ଭାରତୀୟ ନାଗରିକ ଅଛନ୍ତି, ଯାହାକୁ ବୁଦାପେଷ୍ଟ ଦେଇ ୟୁକ୍ରେନରୁ ସ୍ଥାନାନ୍ତର କରାଯାଉଛି |

ଗତକାଲି ସନ୍ଧ୍ୟା ୭.୫୦ ରେରେ ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର AI-1944 ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଏୟାରଲାଇନ୍ସ ଏକ ଛୋଟ ଭିଡିଓ ମଧ୍ୟ ପୋଷ୍ଟ କରିଛି ଯେଉଁଥିରେ ୟୁକ୍ରେନରୁ ପ୍ରଥମ ବ୍ୟାଚ୍ ଭାରତୀୟ ନାଗରିକ ସ୍ବଦେଶ ଫେରିବାର ଆନନ୍ଦରେ କରତାଳି ଦେଉଥିବା ଦେଖିବାକୁ ମିଳୁଛି ।

ରୁଷର ଆକ୍ରମଣ ଯୋଗୁଁ ୨୪ ଫେବୃଆରୀ ସକାଳୁ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍ର ଆକାଶ ସୀମା ବନ୍ଦ ରହିଛି। ତେଣୁ ବୁଖାରେଷ୍ଟ ଏବଂ ବୁଦାପେଷ୍ଟରୁ ବିମାନ ଚଳାଚଳ କରୁଛି |