ଶୁକ୍ରବାର ଠାରୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ | News Room Odisha

ଶୁକ୍ରବାର ଠାରୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

ସିଡନୀ,୨୬ ।୧୧: ଭାରତ-ଅଷ୍ଟ୍ରେଲିଆ ବହୁ ପ୍ରତୀକ୍ଷିତ କ୍ରିକେଟ୍ ଲଢେଇ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଦିନିକିଆ ସିରିଜରୁ ଭାରତ ତାର ଅଷ୍ଟ୍ରେଲୀୟ ଅଭିଯାନ ଆରମ୍ଭ କରିବ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଆରମ୍ଭରୁ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ଭାରତ ରୋହିତ ବିନା ପଡିଆକୁ ଓହ୍ଲାଇବ । ଆଘାତ କାରଣରୁ ରୋହିତ ଦିନିକିଆ ଓ ଟି୨୦ ସିରିଜ୍ ସହ ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ଅନୁପସ୍ଥିତିରେ ଦଳ ପାଇଁ ଏକ ଶକ୍ତ ଧକ୍କା । ତଥାପି ଦଳରେ ଅନେକ ପ୍ରତିଭାବନ ଓ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ରୋହିତଙ୍କ ଅନୁପସ୍ଥିତିକୁ ଭରଣା କରିବେ ବୋଲି ଆଶା କରାଯାଉଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ନୈରାଶ୍ୟଜନକ ସିରିଜ୍ ପରେ ପରେ ମାର୍ଚ୍ଚଠୁ ଲକଡାଉନ୍ ଯୋଗୁଁ ଭାରତୀୟ ଦଳ କୌଣସି ଅନ୍ତର୍ଜାତୀୟ ସିରିଜ୍ ଖେଳିନଥିଲା । ଆଠ ମାସ ପରେ ଭାରତର ଏହା ପ୍ରଥମ ଅନ୍ତର୍ଜାତୀୟ ଅଭିଯାନ । ରୋହିତଙ୍କ ସ୍ଥାନ ନେବାକୁ ଦୁଇଜଣ ଦାବିଦାର ଅଛନ୍ତି । ଏହି ଦୁଇ ଖେଳାଳି ହେଲେ ଶୁଭମନ ଗିଲ ଓ ମୟଙ୍କ ଅଗ୍ରୱାଲ । ଶିଖର ଧାୱନଙ୍କ ଓପନିଂ ପାର୍ଟନର ଭାବେ ଗିଲ ଓ ମୟଙ୍କଙ୍କ ମଧ୍ୟରୁ ଜଣକୁ ବାଛିପାରେ ଭାରତ । ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସଙ୍କ ଭଳି ପେସରଙ୍କୁ ସାମ୍ନା କରିବା ପାଇଁ ଭାରତକୁ ଏକ ଦକ୍ଷ ଓପନିଂ ଯୋଡିର ଆବଶ୍ୟକ ।

ଗତଥର ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ବାସନ୍ଦ ଯୋଗୁଁ ଭାରତ ବିପକ୍ଷ ସିରିଜରୁ ବଞ୍ଚିତ ହୋଇଥିଲେ । ଏଥର କିନ୍ତୁ ଏହି ଦୁଇ ଷ୍ଟାର ଖେଳାଳିଙ୍କ ଉପସ୍ଥିତି ଭାରତ ପାଇଁ କଡ଼ା ଚାଲେଞ୍ଜ ସୃଷ୍ଟି କରିବ । କାରଣ ଭାରତ ବିପକ୍ଷରେ ଉଭୟ ୱାର୍ଣ୍ଣର ଓ ସ୍ମିଥ ସର୍ବଦା ଭଲ ପ୍ରଦର୍ଶନ କରିଛନ୍ତି । ୱାର୍ଣ୍ଣର ଓ ସ୍ମିଥଙ୍କ ଉପସ୍ଥିତିରେ ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍ ଅପ୍ ଆହୁରି ଶକ୍ତିଶାଳୀ ହୋଇଛି । ଏହି ମଜବୁତ ବ୍ୟାଟିଂ ଲାଇନ ଅପକୁ ରୋକିବା ଭାରତୀୟ ବୋଲିଂ ଆକ୍ରମଣ ପାଇଁ ମସ୍ତବଡ଼ ଚାଲେଞ୍ଜ ହେବ । ଭାରତର ଦୁଇ ପ୍ରମୁଖ ପେସର ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଦିନିକିଆ ଓ ଟି୨୦ ସିରିଜର ସବୁ ମ୍ୟାଚ୍ ଖେଳିନପାରନ୍ତି । ଟେଷ୍ଟ ସିରିଜ୍ ପାଇଁ ଉଭୟଙ୍କୁ ଆଘାତମୁକ୍ତ ରଖିବା ଉଦ୍ଦେଶ୍ୟରେ ବୁମରା ଓ ସାମିଙ୍କୁ ପାଳି ଅନୁସାରେ ଖେଳାଯିବ । ଏଭଳିସ୍ଥଳେ ଯୁବ ପେସର ଶାର୍ଦ୍ଦୁଲ ଠାକୁର ଓ ନବଦୀପ ସାଇନିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଯୁବ ତାରକା କେଏଲ ରାହୁଲଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ହେବ । ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ସୀମିତ ଓଭର ଦଳର ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଏହାଛଡ଼ା ତାଙ୍କ ଉପରେ ବ୍ୟାଟ୍ସମ୍ୟାନ୍ ଓ ୱିକେଟକିପର ଦାୟିତ୍ୱ ବି ରହିବ । ତିନି ଦିନିକିଆ ପରେ ସମାନ ସଂଖ୍ୟକ ଟି୨୦ ସିରିଜ୍ ଖେଳାଯିବ । ଏହାପରେ ଡିସେମ୍ବର ୧୭ରୁ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପରେ କୋହଲି ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଆସିବେ ।

ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍, ମାର୍ନସ ଲାବୁସେନ, ଗ୍ଳେନ ମ୍ୟାକ୍ସୱେଲ, ମାର୍କସ୍ ଷ୍ଟୋଇନିସ, ଆଲେକ୍ସ କାରେ, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ୍ ଜାମ୍ପା, ଜୋସ୍ ହାଜଲଉଡ୍ ସିନ୍ ଆବୋଟ୍, ଆଷ୍ଟନ ଅଗର, କାମେରନ ଗ୍ରୀନ୍, ମୋଜେସ୍ ହେନରିକ୍ସ, ଆଣ୍ଡ୍ରିୟୁ ଟାଇ, ଡାନିଏଲ ସାମ୍ସ, ମାଥ୍ୟୁ ୱେଡ୍ ।