ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାରକୁ ଗଞ୍ଜାମ ବିଜେଡି ନେତାଙ୍କ ସ୍ୱାଗତ | News Room Odisha

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାରକୁ ଗଞ୍ଜାମ ବିଜେଡି ନେତାଙ୍କ ସ୍ୱାଗତ

ବ୍ରହ୍ମପୁର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ‘ଜନ ବିରୋଧୀ’ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କାର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ଗଞ୍ଜାମ ଜିଲ୍ଲାର ଦଳୀୟ ନେତାମାନେ ସ୍ୱାଗତ କରିଛନ୍ତି । ପ୍ରଥମ ଥର ପାଇଁ ଦେଶର ରାଜନୀତିରେ ଶାସକ ଦଳର ଜଣେ ନେତାଙ୍କୁ ‘ଜନବିରୋଧୀ’ କାର୍ଯ୍ୟକଳାପ ପାଇଁ ବହିଷ୍କାର କରାଯାଇଛି ।

ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାରକୁ ସ୍ୱାଗତ କରିଛନ୍ତି । କୌଣସି ନେତାଙ୍କ ଦୁର୍ନୀତି ଓ ଜନ ବିରୋଧୀ କାର୍ଯ୍ୟକଳାପକୁ ମୁଖ୍ୟମନ୍ତ୍ରୀ ସହ୍ୟ କରନ୍ତି ନାହିଁ । ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଗୋପାଳପୁର ବିଧାୟକଙ୍କ ବହିଷ୍କାର କେବଳ ଦଳ ପାଇଁ ନୁହେଁ, ବରଂ ସାରା ଓଡିଶା ପାଇଁ ଏକ ଉଦାହରଣ । ଦଳରେ ଦାଗୀ ନେତାଙ୍କ କୌଣସି ସ୍ଥାନ ନାହିଁ ବୋଲି ନବୀନ ପୁଣି ଥରେ ପ୍ରମାଣିତ କରିଛନ୍ତି ବୋଲି ଚନ୍ଦ୍ରଶେଖର ଉଲ୍ଲେଖ କରିଛନ୍ତି ।

ବ୍ରହ୍ମପୁର ବିଧାୟକ ବିକ୍ରମ କେଶରୀ ପଣ୍ଡା ମଧ୍ୟ ସମାନ ମତ ଦେଇଛନ୍ତି । ଦୁର୍ନୀତି ଓ ଜନ ବିରୋଧୀ କାମ ପ୍ରତି ଶୂନ୍ୟ ସହନ ଆଭିମୁଖ୍ୟ ପୋଷଣ କରିଆସିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପ ପାଣିଗ୍ରାହୀଙ୍କୁ ବିଦା କରି ସେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ଲୋକଙ୍କ ବିଶ୍ୱାସରେ ବିଷ ଦେଇଥିବା ନେତାଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ । ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଇଛନ୍ତି ।

ନବୀନଙ୍କ ନିଷ୍ପତିକୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ସ୍ୱାଗତ କରିଛନ୍ତି । ଦଳର କୌଣସି ନେତାଙ୍କ ଜନ ବିରୋଧୀ କର୍ଯ୍ୟକ୍ରମକୁ ସୁପ୍ରିମୋ କେବେ ବି ସହ୍ୟ କରନ୍ତି ନାହିଁ ବୋଲି ଚ୍ୟାଉ ପଟ୍ଟନାୟକ କହିଛନ୍ତି ।