ଓଡ଼ିଶାରେ 'ଟମାଟୋ ଫ୍ଲୁ'ର ୨୬ଟି ମାମଲା ଚିହ୍ନଟ | News Room Odisha

ଓଡ଼ିଶାରେ ‘ଟମାଟୋ ଫ୍ଲୁ’ର ୨୬ଟି ମାମଲା ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ୍ ମାଉଥ୍ ଡିଜିଜ୍ (ଏଚ୍ଏମ୍ଏଫଡି) ବା ‘ଟମାଟୋ ଫ୍ଲୁ’ ର ୨୬ଟି ମାମଲା ଚିହ୍ନଟ ହୋଇଛି।ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଡାକ୍ତର ମହାପାତ୍ର କହିଛନ୍ତି ଯେ ୩୬ ସନ୍ଦିଗ୍ଧ ନମୁନା ଆରଏମ୍ଆରସିକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ଏଚ୍ଏମ୍ଏଫଡି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୬ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧାରୁ ୨, ପୁରୀରୁ ୩ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର । ଆକ୍ରାନ୍ତଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପୁଣେର ଏନ୍ଆଇଭି ପଠାଯାଇଥିବା ସେ କହିଛନ୍ତି ।

ଟମାଟୋ ଫ୍ଲୂ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ । ବିଶେଷ କରି ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ବର ହୁଏ। ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।