ଆନ୍ଦୋଳନରତ ଚାଷୀଙ୍କ ସହ ଆଜି ଆଲୋଚନା କରିବେ କେନ୍ଦ୍ର ସରକାର | News Room Odisha

ଆନ୍ଦୋଳନରତ ଚାଷୀଙ୍କ ସହ ଆଜି ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଗତ ୬ ଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ ରାଜ୍ୟର ଚାଷୀମାନଙ୍କ ସହ କେନ୍ଦ୍ର ସରକାର ଆଜି ଆଲୋଚନା କରିବେ । କରୋନା ସଙ୍କଟ ଓ ଶୀତକୁ ଦୃଷ୍ଟିରେ ରଖି ଡିସେମ୍ବର ୩ ପୂର୍ବରୁ ହିଁ ଚାଷୀଙ୍କ ସହ ଆଲୋଚନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନାରୁ କଣ ନିଷ୍କର୍ସ ବାହାରୁଛି ତାହା ଉପରେ ଏବେ ନଜର । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଆଲୋଚନାର ନେତୃତ୍ୱ ନେବେ ।

ଗତ ୬ ଦିନ ଧରି ପଞ୍ଜାବ, ହାରିୟାଣା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଚାଷୀମାନଙ୍କ ସହ କିଛି କୃଷକ ସଂଗଠନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । ଚାଷୀମାନଙ୍କ ବିଭିନ୍ନ ଦାବି ମଧ୍ୟରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ହେଉଛି ମୁଖ୍ୟ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉପରେ ସେମାନେ ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି । ଚାଷୀମାନଙ୍କ ଆଶଙ୍କା ହେଲା ଯେ, ନୂଆ କୃଷି ନୀତି କାର୍ଯ୍ୟକାରୀ କରାଗଲେ ଏମଏସପି ବ୍ୟବସ୍ଥା ଉଚ୍ଛେଦ ହୋଇଯିବ । ସେପଟେ ଆନ୍ଦୋଳନରତ ଚାଷୀମାନଙ୍କୁ ସମର୍ଥନ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି, ହଜାର ହଜାର ଅନ୍ନଦାତା ରାସ୍ତାରେ ଧାରଣାରେ ବସିଥିବା ବେଳେ ‘ମିଛୁଆ’ ଟିଭିରେ ଭାଷଣ ଦେଉଛନ୍ତି ।