୧୨୬ ବର୍ଷ ଇତିହାସରେ ପ୍ରଥମ ଥର ଜଣେ ଭାରତୀୟଙ୍କୁ ଗ୍ଲୋବାଲ୍ ସିଇଓ ଭାବେ ନିଯୁକ୍ତ କଲା ବାଟା | News Room Odisha

୧୨୬ ବର୍ଷ ଇତିହାସରେ ପ୍ରଥମ ଥର ଜଣେ ଭାରତୀୟଙ୍କୁ ଗ୍ଲୋବାଲ୍ ସିଇଓ ଭାବେ ନିଯୁକ୍ତ କଲା ବାଟା

ନୂଆଦିଲ୍ଲୀ – ବହୁରାଷ୍ଟ୍ରୀୟ ଜୋତା କମ୍ପାନୀ ବାଟା ଏହାର ୧୨୬ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ସିଇଓ ଭାବେ ଜଣେ ଭାରତୀୟଙ୍କୁ ନିଯୁକ୍ତ କରିଛି । କମ୍ପାନୀ ସନ୍ଦୀପ କାଟାରିଆଙ୍କୁ ଗ୍ଲୋବାଲ ସିଇଓ ଭାବେ ନିଯୁକ୍ତ କରିଛି, ଯିଏ ବର୍ତ୍ତମାନ ବାଟା ଇଣ୍ଡିଆର ସିଇଓ ଅଛନ୍ତି। ସନ୍ଦୀପ କାଟାରିଆ ଆଲେକ୍ସିସ୍ ନାସାର୍ଡଙ୍କ ସ୍ଥାନ ନେଇଛନ୍ତି । ନାସାର୍ଡ ପ୍ରାୟ ପାଞ୍ଚ ବର୍ଷ ଧରି ବାଟା ଗ୍ଲୋବାଲ୍ ମୁଖ୍ୟ ପଦରେ ଥିଲେ।

ବାଟା ଗ୍ଲୋବାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିବା ୪୯ ବର୍ଷିୟ ସନ୍ଦୀପ କାଟାରିଆ ଆଇଆଇଟି ଦିଲ୍ଲୀ ଏବଂ ଜାଭିୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ, ଜାମସେଦପୁରରୁ ଶିକ୍ଷା ଗ୍ରହଣ କରିଥିଲେ । ସେ ଜାଭିୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ, ଜାମସେଦପୁର ୧୯୯୩ ପିଜିଡିବିଏମ୍ ବ୍ୟାଚର ଗୋଲ୍ଡ ମେଡାଲିଷ୍ଟ ।ୟୁନିଲିଭର, ୟମ୍ ବ୍ରାଣ୍ଡସ୍, ଭୋଡାଫୋନ୍ ଭଳି କମ୍ପାନୀରେ କାମ କରିଥିବା ସନ୍ଦୀପଙ୍କ ପ୍ରାୟ ୨୪ ବର୍ଷର ଅଭିଜ୍ଞତା ଅଛି । ତାଙ୍କୁ ୨୦୧୭ରେ ବାଟା ଇଣ୍ଡିଆର ସିଇଓ କରାଯାଇଥିଲା।

ବାଟା ଭାରତରେ ଏକ ଜଣାଶୁଣା ବ୍ରାଣ୍ଡ୍ । ଯେଉଁ କାରଣରୁ ଅନେକ ଲୋକ ଏହାକୁ ଏକ ଭାରତୀୟ ବ୍ରାଣ୍ଡ୍ ବୋଲି ବିବେଚନା କରନ୍ତି । କିନ୍ତୁ ପ୍ରକୃତରେ ବାଟା ଇଣ୍ଡିଆର ପେରେଣ୍ଟ୍ କମ୍ପାନୀ ‘ବାଟା’ର ମୁଖ୍ୟ କାର୍ଯ୍ୟାଳୟ ସ୍ବିଜରଲ୍ୟାଣ୍ଡରେ ଅବସ୍ଥିତ । ୧୮୯୪ ରେ ଥୋମାସ ବାଟାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ବାଟା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ଏହାର ବ୍ୟବସାୟ ୭୦ଟି ଦେଶରେ ବ୍ୟାପିଛି । ଏହା ପ୍ରତିବର୍ଷ ପ୍ରାୟ ୧୮ କୋଟି ହଳ ଜୋତା ଏବଂ ଚପଲ ବିକ୍ରି କରେ । ପାଞ୍ଚଟି ମହାଦେଶରେ ଏହାର ୫,୮୦୦ ଖୁଚୁରା ଷ୍ଟୋର୍ ଏବଂ ୨୨ଟି କାରଖାନା ରହିଛି ।

Bata