ପାକିସ୍ତାନ: ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୨୮ ମୃତ, ୧୫୦ ଆହତ | News Room Odisha

ପାକିସ୍ତାନ: ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୨୮ ମୃତ, ୧୫୦ ଆହତ

ପେଶାୱାର: ପାକିସ୍ତାନର ପେଶାୱାର ସହରରେ ଏକ ମସଜିଦରେ ନମାଜ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତିକମରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି ।

ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପେଶାୱାର ସହରର ପୋଲିସ ଲାଇନରେ ଥିବା ମସଜିଦରେ ସୋମବାର ଅପରାହ୍ନ ପ୍ରାୟ ୧:୪୫ ମିନିଟରେ ଏହି ବିସ୍ଫୋରଣ ହୋଇଥିଲା। ନମାଜ କରୁଥିବା ଲୋକଙ୍କ ମଧ୍ୟରେ ଜଣେ ଆତ୍ମଘାତୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା । ବିସ୍ଫୋରଣ ପରେ ମସଜିଦର ଛାତ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ତଳେ ଦବି ହୋଇଯାଇଥିଲେ ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଓ‌ ଏହାର ସହାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ମଧ୍ୟ ଘଟଣାକୁ ନିନ୍ଦା କରି କହିଛନ୍ତି, ମୃତକଙ୍କ ପରିବାର ପ୍ରତି ସମବେଦନା ।”

ମସଜିଦ ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି । ତେବେ ଏହି ଆତ୍ମଘାତୀ ଆକ୍ରମଣ ପଛରେ ‘ପାକିସ୍ତାନ ତାଲିବାନ’ ଆତଙ୍କୀ ସଂଗଠନର ହାତ ରହିଥିବା ସନ୍ଦେହ କରାଯାଉଛି ।