ଏମଡିଏଚ୍ ଗ୍ରୁପ୍ ମାଲିକ ଧର୍ମପାଳ ଗୁଲାଟିଙ୍କ ଦେହାନ୍ତ | News Room Odisha

ଏମଡିଏଚ୍ ଗ୍ରୁପ୍ ମାଲିକ ଧର୍ମପାଳ ଗୁଲାଟିଙ୍କ ଦେହାନ୍ତ

ନୂଆଦିଲ୍ଲୀ – ଲୋକପ୍ରିୟ ମସଲା କମ୍ପାନୀ ମହାଶୟ ଡି ହାଟୀ (ଏମଡିଏଚ୍) ର ମାଲିକ ମହାଶୟ ଧର୍ମପାଳ ଗୁଲାଟିଙ୍କ ୯୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଆଜି ସକାଳେ ୫:୩୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅପରାହ୍ନ ଦୁଇଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। କରୋନାରେ ସଂକ୍ରମିତ ହେବା ପରେ ଗୁଲାଟି ଭଲ ହୋଇଯାଇଥିଲେ। କିନ୍ତୁ ପୁଣି ଅସୁସ୍ଥତା ଯୋଗୁଁ ଗତ କିଛି ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।
ଗୁଲାଟିଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।

ମହାଶୟ ଧର୍ମପାଳ ୨୭ ମାର୍ଚ୍ଚ ୧୯୨୩ ରେ ସିଆଲକୋଟରେ (ବର୍ତ୍ତମାନ ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ୧୯୩୩ ମସିହାରେ, ସ୍କୁଲ ଶିକ୍ଷା ଶେଷ କରିବା ପୂର୍ବରୁ ହିଁ ସେ ପାଠପଢ଼ା ଛାଡି ବାପାଙ୍କ ସହ ବ୍ୟବସାୟ ଆରମ୍ଭ କରିଥିଲେ ।

୧୯୩୭ ମସିହାରେ ସେ ବାପାଙ୍କ ସହ ମସଲା ବ୍ୟବସାୟ ଆରମ୍ଭ କରିଥିଲେ । ଏବଂ ଏହା ପରେ ସେ ସାବୁନ୍, କପଡା, ହାର୍ଡୱେର୍, ଚାଉଳ ବ୍ୟବସାୟ ବି କରିଥିଲେ |

କିଛି ଦିନ ପରେ ସେ ଦିଲ୍ଲୀର କରୋଲ ବାଗ୍ ସ୍ଥିତ ଅଜମଲ ଖାନ ରୋଡରେ ଏକ ଛୋଟ ଦୋକାନ କରି ମସଲା ବିକ୍ରି ଆରମ୍ଭ କଲେ । ମସଲା ବ୍ୟବସାୟ ଭଲ ଚାଲିଥିଲା ​​ଏବଂ ଏହିଠାରୁ ହିଁ ଏମଡିଏଚ୍ ବ୍ରାଣ୍ଡ ର ପ୍ରତିଷ୍ଠା ହୋଇଥିଲା ।

ବ୍ୟବସାୟ ସହିତ ସେ ଅନେକ ଜନକଲ୍ୟାଣ କାର୍ଯ୍ୟ ମଧ୍ୟ କରିଛନ୍ତି | ଗୁଲାଟି ଅନେକ ଡାକ୍ତରଖାନା, ବିଦ୍ୟାଳୟ ନିର୍ମାଣ କରିଛନ୍ତି ।