ଜାମ୍ମୁ କାଶ୍ମୀରର ଭୁଲ ମାନଚିତ୍ର ହଟାଇବାକୁ ଓ୍ବିକିପିଡିଆକୁ ଭାରତ ସରକାରଙ୍କ ନିର୍ଦ୍ଦେଶ | News Room Odisha

ଜାମ୍ମୁ କାଶ୍ମୀରର ଭୁଲ ମାନଚିତ୍ର ହଟାଇବାକୁ ଓ୍ବିକିପିଡିଆକୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ଜାମ୍ମୁ କାଶ୍ମୀରର ଭୁଲ ମାନଚିତ୍ର ସମ୍ପର୍କିତ ଲିଙ୍କକୁ ଏହାର ପ୍ଲାଟଫର୍ମରୁ ହଟାଇବା ପାଇଁ ଭାରତ ସରକାର ଓ୍ବିକିପିଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ର ଧାରା ୬୯(ଏ) ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରିଛି । ଓ୍ବିକିପିଡିଆରେ ଅକ୍ସାଇ ଚୀନ୍ ଅଞ୍ଚଳକୁ ଚୀନର ଏକ ଅଂଶ ଭାବେ ଦର୍ଶାଯାଇଛି । ଏନେଇ ଜଣେ ଟ୍ବିଟର ୟୁଜର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କୌଣସି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାରତର ଭୁଲ ମାନଚିତ୍ର ପ୍ରଦର୍ଶିତ ହେବା ନେଇ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଲଦାଖକୁ ଚୀନ୍‌ର ଏକ ଅଂଶ ଭାବରେ ଦର୍ଶାଇଥିବାରୁ ଟ୍ୱିଟର ସଂସଦୀୟ ପ୍ୟାନେଲ ସମ୍ମୁଖରେ ଲିଖିତ ଭାବେ କ୍ଷମା ମାଗିଥିଲା ।
ଟ୍ବିଟର ଲଦାଖକୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (ଚୀନ୍) ର ଏକ ଅଂଶ ଭାବରେ ଦର୍ଶାଇଥିଲା । ଏହା ପରେ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ଚିଠି ଲେଖି ଆପତ୍ତି ଜଣାଇଥିଲେ ।