ପାଟଣା: ବିହାରର ଔରଙ୍ଗାବାଦରେ ଛଠ୍ ପୂଜା ବେଳେ ଘଟିଛି ଅଘଟଣ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୭ ପୋଲିସ କର୍ମଚାରୀଙ୍କ ସମେତ ୩୦ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଶୁକ୍ରବାର ରାତି ପ୍ରାୟ ୨.୩୦ରେ ଏହି ଘଟଣା ଘଟିଛି। ନଗର ପୋଲିସ ଷ୍ଟେସନ ଅଞ୍ଚଳର ସାହେବଗଞ୍ଜ ଅଞ୍ଚଳର ୱାର୍ଡ ନଂ ୨୪ରେ ଅନିଲ ଗୋସ୍ୱାମୀଙ୍କ ଘରେ ଛଠ୍ ପୂଜା ଚାଲିଥିଲା । ପରିବାରର ସମସ୍ତ ସଦସ୍ୟ ପ୍ରସାଦ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। ଏତିକି ବେଳେ ଗ୍ୟାସ୍ ଲିକ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଘଟଣା ପରେ ଭୟରେ ଲୋକେ ଦୌଡ଼ିବାକୁ ଲାଗିଥିଲେ । ଆଉ କିଛି ଲୋକ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ମଧ୍ୟ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା । ପୋଲିସ ସିଲିଣ୍ଡର ଉପରେ ପାଣି ଢ଼ାଳିବା ବେଳେ ଏହା ବିସ୍ଫୋରଣ ହୋଇଥିଲା।
ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି ।