୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ‘କାଲିର ଅତୀତ’ ଶ୍ରେଷ୍ଠ ଫିଲ୍ମ, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିିର୍ଦ୍ଦେଶକ, ଘନଶ୍ୟାମ ମହାପାତ୍ରଙ୍କୁ ମିଳିବ ଜୟଦେବ ସମ୍ମାନ | News Room Odisha

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ‘କାଲିର ଅତୀତ’ ଶ୍ରେଷ୍ଠ ଫିଲ୍ମ, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିିର୍ଦ୍ଦେଶକ, ଘନଶ୍ୟାମ ମହାପାତ୍ରଙ୍କୁ ମିଳିବ ଜୟଦେବ ସମ୍ମାନ

ଭୁବନେଶ୍ୱର: ୨୦୧୯ ପାଇଁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ନିର୍ମାତା -ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ମିଳିବ ସମ୍ମାନଜନକ ଜୟଦେବ ପୁରସ୍କାର । ଓଡିଆ ସିନେମାର ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦେବ ସମ୍ମାନ ଦିଆଯାଇଥାଏ ।

ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘କାଲିର ଅତୀତ’ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଏହି ଫିଲ୍ମ ପାଇଁ ନୀଳମାଧବ ପଣ୍ଡାଙ୍କ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ପାଇବେ ।

ଫିଲ୍ମ ‘ଖୁସି’ ପାଇଁ ସରୋଜ ପରିଡା ଶ୍ରେଷ୍ଠ ଅଭିନେତା ଓ ଏହି ଫିଲ୍ମ ପାଇଁ ହିଁ କାବ୍ୟା କିରଣ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇବେ । ‘ଶଳା ବୁଢାର ବଦଲା’ ପାଇଁ ସ୍ୱର୍ଗତଃ କପିଳେଶ୍ୱର ପ୍ରସାଦଙ୍କୁ ମରଣୋତ୍ତର ଭାବେ ଶ୍ରେଷ୍ଠ କାହାଣୀକାର ପୁରସ୍କାର ମିଳିବ ।

‘ନାୟକର ନାଁ ଦେବଦାସ’ ପାଇଁ ବୈଦ୍ୟନାଥ ଦାଶ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ବାଳକୃଷ୍ଣ ସମ୍ମାନ ପାଇବେ । ସ୍ୱୟମ ପାଢି ଶ୍ରେଷ୍ଠ ଗାୟକ ଓ ଦୀପ୍ତିରେଖା ପାଢି ଶ୍ରେଷ୍ଠ ଗାୟିକା ବିବେଚିତ ହୋଇଛନ୍ତି । ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଗୀତିକାର ଓ ପ୍ରମୋଦ ପତି ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାବେ ପୁରସ୍କାର ପାଇବେ ।