ଆଫଗାନିସ୍ତାନ: କାନ୍ଦାହାର ମସଜିଦରେ ବିସ୍ଫୋରଣ, ୩୨ ମୃତ, ୫୦ ରୁ ଉର୍ଦ୍ଧ୍ବ ଆହତ | News Room Odisha

ଆଫଗାନିସ୍ତାନ: କାନ୍ଦାହାର ମସଜିଦରେ ବିସ୍ଫୋରଣ, ୩୨ ମୃତ, ୫୦ ରୁ ଉର୍ଦ୍ଧ୍ବ ଆହତ

କାବୁଲ: ଆଫଗାନିସ୍ତାନର କାନ୍ଦାହାରର ଏକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ହୋଇଛି। ସୂଚନା ଅନୁଯାୟୀ, ଇମାମ ବରଗା ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ବିସ୍ଫୋରଣ ୩୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। କୌଣସି ସଂସ୍ଥା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, କାନ୍ଦାହାର ସହରର ପୋଲିସ ଜିଲ୍ଲା ୱାନ (ପିଡି୧) ର ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ସ୍ଥାନୀୟ ଲୋକମାନେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ବିସ୍ଫୋରଣ ଶିଆ ସମ୍ପ୍ରଦାୟର ଏକ ମସଜିଦରେ ଘଟିଛି।

ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହାପୂର୍ବରୁ ଅକ୍ଟୋବର ୮ରେ ଉତ୍ତର ଆଫଗାନିସ୍ତାନର କୁନ୍ଦୁଜରେ ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ଶିଆ ମୁସଲମାନମାନଙ୍କୁ ଟାର୍ଗେଟ କରି କରାଯାଇଥିଲା।